କେନ୍ଦୁଝରରୁ କେନ୍ଦ୍ରାପଡା: ବିଜେଡିର ମାଷ୍ଟରଷ୍ଟ୍ରୋକ୍

235

କନକ ବ୍ୟୁରୋ: ପାଂଚଟି ପର୍ଯ୍ୟାୟରେ ୧୨୬ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା । ହେଲେ, ୨୧ଟି ଆସନରୁ କିଏ ପ୍ରାର୍ଥୀ ହେବେ ତାହା ଝୁଲି ରହିଥିଲା । ଏହା ଭିତରେ କେନ୍ଦୁଝରର ଚମ୍ପୁଆ ଆସନ ଓ କେନ୍ଦ୍ରାପଡାର ବିଧାନସଭା ଆସନ ବି ରହିଥିଲା । ଆଜି ସେହି ସବୁ ଆସନରେ ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ ।

କେନ୍ଦୁଝର ଚମ୍ପୁଆ ବିଧାନସଭା ଆସନରୁ ସନା ମହାକୁଡଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚମ୍ପୁଆ ବିଧାନସଭା ଆସନରୁ କାହାକୁ ବିଜେଡି ଟିକେଟ ମିଳିବ? ସନାଙ୍କୁ ରାଜନୈତିକ ଗତିକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିବାବେଳେ ନବୀନଙ୍କ ଏହି ଘୋଷଣା ସେଥିରେ ବିରାମ ଲଗାଇଛି ।

ବିଜେଡି ସନାଙ୍କୁ ପ୍ରାର୍ଥୀ କରିବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି । ଚମ୍ପୁଆ ସମେତ କେନ୍ଦୁଝର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି । ତେବେ ପ୍ରଶ୍ନ ଉଠୁଛିି, ବିଜେଡି ପାଇଁ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ସନା ମହାକୁଡ । କୁହାଯାଉଛି..

ବିଜେଡି ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ସନା?
– କେନ୍ଦୁଝରର ପ୍ରାୟ ସବୁ ନିର୍ବାଚନମଣ୍ଡଳୀରେ ତାଙ୍କର ପ୍ରଭାବ ରହିଛି
– ସବୁ ନିର୍ବାଚନମଣ୍ଡଳୀରେ ତାଙ୍କର ସଂଗଠନ ରହିଛି
– ସମାଜସେବୀ ଭାବେ ସନାତନଙ୍କର କେନ୍ଦୁଝରରେ ନାଁ ରହିଛି
– କେନ୍ଦୁଝର ରାଜନୀତିରେ ସକ୍ରିୟ ଭୂମିକା ତୁଲାଇଥାନ୍ତି

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ, କେନ୍ଦ୍ରାପଡା ବିଧାନସଭା ଆସନରୁ ଗଣେଶ୍ୱର ବେହେରାଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ । ଏହି ଆସନରୁ ଟିକେଟ ପାଇବା ପାଇଁ ବିଧାୟକ ଶଶୀ ଭୂଷଣ ବେହେରାଙ୍କ ସମେତ ବହୁ ଆଶାୟୀ ଥିଲେ ବି ଶେଷରେ ଗଣେଶ୍ୱରଙ୍କ ଉପରେ ଭରଷା କରିଛନ୍ତି ବିଜେଡି ସୁପ୍ରିମୋ । ମାତ୍ର କିଛି ଦିନ ତଳେ କଂଗ୍ରେସ ଛାଡି, ସେ ବିଜେଡିରେ ସାମିଲ ହୋଇଥିଲେ । ସେବେଠାରୁ ଗଣେଶ୍ୱର ବିଜେଡି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ବିଜେଡିର କିିଛି ପୁରୁଣା ନେତା ଓ କର୍ମୀ ଗଣେଶ୍ୱରଙ୍କ ବିରୋଧ କରି ଆସୁଥିଲେ । କିନ୍ତୁ ଟିକେଟ ମିଳିବା ପରେ ସମସ୍ତଙ୍କୁ ନେଇ ଆଗକୁ ଯିବେ ବୋଲି କହିଛନ୍ତି ଗଣେଶ୍ୱର । ତେବେ ଗଣେଶ୍ୱରଙ୍କ ଦମ୍ଭୋକ୍ତିକୁ ନେଇ, ନିକଟରେ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିବା ସିପ୍ରା ମଲ୍ଲିକ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ।

ସବୁବେଳେ ମାଷ୍ଟରଷ୍ଟ୍ରୋକ ମାରି ଚମକାଇ ଦେଉଥିବା ନବୀନଙ୍କ ଏହି ଗୋଟି ଚାଳନା ଦୁଇ ଜିଲ୍ଲାର ରାଜନୀତି ଉପରେ ବଡ ପ୍ରଭାବ ପକାଇବ ବୋଲି କୁହାଯାଉଛି ।