ପିଲା ପଢ଼ୁଛନ୍ତି ଭୁଲ ଇଂରାଜୀ । ଦଶମ ଶ୍ରେଣୀ ଇଂରାଜୀ ବ୍ୟାକରଣ ବହିରେ ତ୍ରୁଟି ଅଭିଯୋଗ, ବହିର ବିଭିନ୍ନ ପୃଷ୍ଠାରେ ରହିଛି ବ୍ୟାକରଣ ଜନିତ ତ୍ରୁଟି

804

କନକ ବ୍ୟୁରୋ : ଦଶମ ଶ୍ରେଣୀ ଇଂରାଜୀ ବ୍ୟାକରଣ ବହିର କିଛି ପୃଷ୍ଠାରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି । ପୃଷ୍ଠା ନମ୍ବର ୫, ୧୨, ୩୦, ୩୪, ୪୫, ୪୭ ଓ ଶହେ ନମ୍ବର ପୃଷ୍ଠାରେ ତ୍ରୁଟି ରହିଥିବା ଜଣାପଡ଼ିଛି । ଇଂରାଜୀ ବ୍ୟାକରଣ ବହିର ପୃଷ୍ଠା ନମ୍ବର ୫ରେ ‘ଆଇ ୱାଜ ଷ୍ଟଡିଙ୍ଗ ଇନ୍ କ୍ଲାସ୍ ଆଇଏକ୍ସ ଲାଷ୍ଟ ଇଅର’ ଭଳି ବାକ୍ୟ ରହିଛି । ଏହି ବାକ୍ୟଟି ପାଷ୍ଟ ପ୍ରୋଗ୍ରେସିଭ୍ ଟେନ୍ସରେ ରହିଛି । ଯାହାକି ଭୁଲ । ଏହି ବାକ୍ୟରେ ଲାଷ୍ଟ ଇଅର ଫିନିସଡ ଟାଇମ୍ ସୂଚାଉ ଥିବାରୁ ଏହା ସିମ୍ପଲ ପାଷ୍ଟ ଟେନ୍ସରେ ବ୍ୟବହାର କରାଯିବା ଉଚିତ୍ । ପୃଷ୍ଠା ନମ୍ବର ୩୦ରେ ଥିବା ପ୍ରଶ୍ନ ‘ଆଇ ଏମ୍ ୟଙ୍ଗ ଆଣ୍ଡ ଷ୍ଟ୍ରଙ୍ଗ’ର ବନ୍ଧନି ମଧ୍ୟରେ ଥିବା କୋଶ୍ଚିନ୍ ଟ୍ୟାଗ୍ରେ କୌଣସି କର୍ତା ନାହିଁ । ସେହିପରି ପୃଷ୍ଠା ନମ୍ବର ୩୪ରେ ଏକ ନନ୍ ଫାଇନାଇଟ୍ କ୍ରିୟା ଯେତେବେଳେ ଫାଇନାଇଟ୍ କ୍ରିୟା ହେଲପ ଆଗରେ ରହେ, ସେହି ସମୟରେ ‘ଟୁ ଇନଫିନିଟିଭ୍’ ବ୍ୟବହାର ହେବ କିମ୍ବା ନକରାଗଲେ ମଧ୍ୟ ଅସୁବିଧା ନାହିଁ । କିନ୍ତୁ ବହିରେ ଏହାର ବ୍ୟତିକ୍ରମ ଦେଖାଯାଇ ‘ଟୁ’କୁ ବ୍ୟବହାର କରାଯାଇପାରିବ ନାହିଁ ବୋଲି ରହିଛି ।

ସେହିପରି ପୃଷ୍ଠା ନମ୍ବର ୪୫ରେ ବିଟୁଇନ୍ ଓ ଆମଙ୍ଗର ବ୍ୟବହାର ସଂପର୍କରେ ଯେଉଁ ସୂଚନା ରହିଛି ତାହା ଅସଂପୂର୍ଣ୍ଣ । ସେହିପରି ପୃଷ୍ଠା ନମ୍ବର ୧୦୦ରେ ‘ଡ୍ରାଉନ୍’ ୱାର୍ଡଟି କେବଳ ପାସିଭ୍ରେ ବ୍ୟବହାର ହୁଏ ବୋଲି ଲେଖାଯାଇଛି । କିନ୍ତୁ ଏହି ଶବ୍ଦଟି ଉଭୟ ପାସିଭ୍ ଓ ଆକ୍ଟିଭ୍ରେ ବ୍ୟବହାର ହୋଇପାରିବ । ଏପଟେ ବୋର୍ଡ ସଭାପତି କହିଛନ୍ତି, ସଂଶୋଧନ କମିଟି ସହ ପରାମର୍ଶ କରି ତ୍ରୁଟି ସଂଶୋଧନ କରାଯିବ । ଏସବୁ ଭିତରେ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି ।