କାହିଁକି ପଦ ଛାଡ଼ିଲେ ସୁବ୍ରତ ବାଗଚୀ ? ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦରୁ ହଠାତ୍ ଇସ୍ତଫା ବଢ଼ାଇଲା ସନ୍ଦେହ

1,608

କନକ ବ୍ୟୁରୋ : ଗତ ୭ ବର୍ଷ ଧରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ବା ଓଏସଡିଏର ଅଧ୍ୟକ୍ଷ ପଦ ସମ୍ଭାଳୁଥିବା ସୁବ୍ରତ ବାଗଚୀ, ହଠାତ୍ ନିଜ ପଦରୁ ଇସ୍ତଫା ଦେବା ଘଟଣା ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି । ଗୁରୁବାର ସନ୍ଧ୍ୟାରେ ଟୁଇଟ୍ କରି ହଠାତ୍ ସେ ନିଜ ଇସ୍ତଫା ବିଷୟରେ ସୂଚନା ଦେଇଥିଲେ । ବ୍ୟକ୍ତିଗତ କାରଣ ପାଇଁ ଓଏସଡିଏ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଥିବା କଥା ଟୁଇଟରେ ଲେଖିଥିଲେ । ଏବେ ତାଙ୍କ ସ୍ଥାନରେ ୱାର୍ଲଡ ସ୍କିଲ୍ଡ ସେଂଟରର ସିଇଓ ଅଳକା ଅରୋରା ମିଶ୍ରଙ୍କୁ ଓଏସଡିଏର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ତେବେ ହଠାତ୍ ଏଭଳି ଇସ୍ତଫା ଦେବା ଏବଂ ତାଙ୍କ ସ୍ଥାନରେ ତୁରନ୍ତ ଅଳକା ମିଶ୍ରଙ୍କୁ ଦାୟିତ୍ୱ ଦିଆଯିବା ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।

କୋଭିଡର କଠିନ ସମୟରେ, ଓଡିଶାବାସୀଙ୍କୁ ସଂକ୍ରମିତ ଓ ମୃତକଙ୍କ ସୂଚନା ଦେବା ପାଇଁ ପ୍ରତିଦିନ ଅପରାହ୍ଣରେ ଟିଭି ସ୍କ୍ରିନକୁ ଆସି ଯାଉଥିଲେ ସୁବ୍ରତ ବାଗଚୀ । ଯେଉଁଭଳି ଭାବେ ସେ ଓଡିଶାବାସୀଙ୍କୁ ସୂଚନା ଦେଉଥିଲେ ତାହା ତାଙ୍କର ଲୋକପ୍ରିୟତାକୁ ବଢାଇ ଦେଇଥିଲା । ଏଥିସହ ରାଜ୍ୟରେ ଏକ ବଡ କ୍ୟାନସର ହସ୍ପିଟାଲ ଖୋଲିବା ପାଇଁ ୨୧୦ କୋଟି ଟଙ୍କାର ସହାୟତା ଦେଇଛନ୍ତି ବାଗଚୀ । ବେଙ୍ଗାଲୁରୁରେ ମଧ୍ୟ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସରେ ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପାଇଁ ୪୨୫ କୋଟି ଟଙ୍କା ସହାୟତା କରିଛନ୍ତି ସୁବ୍ରତ ବାଗଚୀ ଓ ପତ୍ନୀ ସୁସ୍ମିତା ବାଗଚୀ । ୨୦୧୬ ମସିହାରୁ ବାଗଚୀ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ପଦ ସମ୍ଭାଳୁଥିଲେ । ଆଉ ଏବେ ହଠାତ୍ ତାଙ୍କର ଇସ୍ତଫାକୁ ନେଇ ଅନେକ ଆକଳନ କରାଯାଉଛି ।

ସୁବ୍ରତ ବାଗଚିଙ୍କ ଅଚାନକ୍ ଇସ୍ତଫା ବଡଧରଣର ସନ୍ଦେହ ସୃଷ୍ଟି କରିଛି ।
– ହଠାତ୍ ଟ୍ୱିଟ୍ କରି କାହିଁକି ଇସ୍ତଫା ବାବଦରେ ସୂଚନା ଦେଲେ ସୁବ୍ରତ ବାଗଚୀ?
– ତାଙ୍କ ଇସ୍ତଫା ନେଇ କୌଣସି ଔପଚାରିକ ଘୋଷଣା କରାଗଲା ନାହିଁ କାହିଁକି?
– ବାଗଚୀ ଇସ୍ତଫା ଦେବା କ୍ଷଣି ଅନ୍ୟଜଣଙ୍କୁ କେମିତି ଦାୟିତ୍ୱ ଦେଇଦିଆଗଲା?
– ଲୋକପ୍ରିୟତା ବୃଦ୍ଧି ଯୋଗୁଁ ପଦରୁ ହଟିଲେ କି ବାଗଚୀ?
– ଆଗାମୀ ଦିନରେ ସେ ରାଜନୀତିରେ ପ୍ରବେଶ କରିବେ କି?