କନକବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ନୀତି ଆୟୋଗର ନବମ ଗଭର୍ଣ୍ଣି କାଉନସିଲ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ସାମିଲ ହୋଇ ନିଜ ନିଜ ରାଜ୍ୟର ଦାବି ରଖିବା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ୫ଟ୍ରିଲିୟନ ଜିଡିପି ସହ ଭାରତକୁ ବିଶ୍ବର ତୃତୀୟ ଅର୍ଥନୀତି ଓ ୨୦୪୭ ସୁଦ୍ଧା କିପରି ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ଗଠନ କରାଯିବ ସେନେଇ ଏହି ବୈଠକରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ। ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଏହି ବୈଠକରେ ସାମିଲ ହେଉଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ସାମିଲ ହେଉଥିବା ବେଳେ ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ପଞ୍ଜାବ, କେରଳ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହେଉନଥିବା ଜଣାପଡିଛି। ତେବେ ଏହି ବୈଠକରେ ସାମିଲ ହେବା ପୂର୍ବରୁ ନୀତି ଆୟୋଗକୁ ଭାଙ୍ଗି ପୁଣିଥରେ ଯୋଜନା ଆୟୋଗ ଗଠନ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଦାବି କରିଛନ୍ତି।

Advertisment

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏହି ନୀତି ଆୟୋଗ ବୈଠକରେ ସାମିଲ ହେବାକୁ ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ଓଡ଼ିଶାର ବିକାଶକୁ ନେଇ କଣ ଦାବି ରଖୁଛନ୍ତି ତା ଉପରେ ରାଜ୍ୟବାସୀଙ୍କ ନଜର ରହିଛି। ଏହା ପୂର୍ବରୁ ଜୁଲାଇ ୧୬ ତାରିଖରେ କେନ୍ଦ୍ର ସରକାର ନୀତି ଆୟୋଗର ନୂଆ ଟିମ୍ ଘୋଷଣା କରିଛନ୍ତି। ଚାରିଜଣ ପୂର୍ଣ୍ଣକାଳୀନ ସଦସ୍ୟଙ୍କ ବ୍ୟତୀତ ଏନଡିଏ ସହଯୋଗୀ ଦଳର ୧୫ ଜଣ ମନ୍ତ୍ରୀ, ବିଶେଷ ଆମନ୍ତ୍ରିତ ସଦସ୍ୟ ମାନଙ୍କୁ ଏହି ନୂଆ ଟିମରେ ସାମିଲ କରାଯାଇଛି। ଭାରତର ରୂପାନ୍ତର ପାଇଁ ଜାତୀୟ ଅନୁଷ୍ଠାନ ନୀତି ଆୟୋଗ ଭାବରେ ଜଣାଶୁଣା।

ଏହା ଭାରତ ସରକାରଙ୍କ ଏକ ପଲିସି ଥିଙ୍କ ଟ୍ୟାଙ୍କ, ଯାହା ସରକାରଙ୍କ କାର୍ଯ୍ୟଏବଂ ନୀତି ବିଷୟରେ ସୂଚନା ପ୍ରଦାନ କରିଥାଏ ।  ୨୦୧୪ରେ କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ୬୫ ବର୍ଷ ପୁରୁଣା ଯୋଜନା ଆୟୋଗକୁ ଭାଙ୍ଗି ଏହି ସ୍ଥାନରେ ୨୦୧୫ ମସିହାରେ ନୀତି ଆୟୋଗ ଗଠନ କରିଥିଲେ। ଦୀର୍ଘକାଳୀନ ନୀତି ଏବଂ ସରକାରଙ୍କ କାର୍ଯ୍ୟକ୍ରମ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୋଗର ଅଧ୍ୟକ୍ଷ। ଅଧ୍ୟକ୍ଷଙ୍କ ବ୍ୟତୀତ ଜଣେ ଉପାଧ୍ୟକ୍ଷ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଛନ୍ତି। ସେମାନଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି।