କାହିଁକି ବେଲଗାମ ହେଲା ପରିବା ଦର ? ୪ ଦିନ ଭିତରେ ଦୁଇ ଗୁଣ ହେଲାଣି ପନିପରିବା ମୂଲ୍ୟ । ମହଙ୍ଗା ମାଡ଼ରେ ଖାଉଟି ହନ୍ତସନ୍ତ

645

କନକ ବ୍ୟୁରୋ : ପରିବା ବଜାରକୁ ଗଲେ ପରିବା ଛୁଇଁବାକୁ ଡର ମାଡୁଛି । ହଠାତ୍ ପରିବା ଦର ଆକାଶ ଛୁଆଁ ହୋଇଯାଇଛି । ତେଣୁ ପନିପରିବା କିଣିବା ଆଗରୁ ଗ୍ରାହକ ଥରେ ଚିନ୍ତା କରିବାକୁ ପଡୁଛି । ଭୁବନେଶ୍ୱର ୧ ନମ୍ବର ହାଟରେ ପରିବାର ଅହେତୁକ ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଛି ।

ବିନ କିଲୋ ୨୫୦ ଟଙ୍କା
ଝୁଡଙ୍ଗ କିଲୋ ୧୨୦ ଟଙ୍କା
କ୍ୟାପ୍ସିକମ କିଲୋ – ୧୫୦ ଟଙ୍କା
ବାଇଗଣ କିଲୋ – ୫୦ ଟଙ୍କା
ପୋଟଳ କିଲୋ -୮୦ ଟଙ୍କା
ବିଲାତି କିଲୋ – ୯୦ ଟଙ୍କା
ଭେଣ୍ଡି କିଲୋ -୮୦ ଟଙ୍କା ରେ ବିକ୍ରି ହେଉଛି ।

ଅନ୍ୟପଟେ ଚଢା ଦର ଯୋଗୁଁ ଭଲ ବେପାର ହେଉନଥିବା ବ୍ୟବସାୟୀ ବି ଚିନ୍ତାରେ ଅଛନ୍ତି । ସେପଟେ କ୍ଷେତରୁ କମ ଦରରେ ବ୍ୟବସାୟୀ କିଣି ବଜାରରେ ଅଧିକ ଦରରେ ବିକ୍ରି କରୁଛନ୍ତି । ଏପରି କି କ୍ଷେତରେ ବଜାରକୁ ଆସିବା ଭିତରେ ପରିବାର ଦାମ ଦୁଇ ଗୁଣା ହୋଇଯାଉଛି ।

ଓଡିଶାରେ ମୌସୁମୀ ପ୍ରବେଶ ପରେ ପରେ ପରିବା ଦର ଅଚାନକ ଆକାଶ ଛୁଆଁ ହୋଇଯାଇଛି । ଏଭଳି ଦୃରବୃଦ୍ଧି କେବେ ଓଡିଶାରେ ହୋଇନଥିଲା । ବ୍ୟବସାୟୀ ସଂଘଙ୍କ କହିବା ଅନୁସାରେ ଓଡିଶାରେ ପରିବା ସଂକଟ ସୃଷ୍ଟି ହୋଇଛି । ଚାହିଦା ଅନୁସାରେ ଯୋଗାଣ କମୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଓଡିଶାରୁ ଆଗ ଭଳି ପରିବା ବଜାରକୁ ଆସୁନାହିଁ । ପରିବା ପାଇଁ ବେଙ୍ଗାଲୁରୁ, ଆନ୍ଧ୍ର, କଲିକତା, ନାସିକ, ରାୟପୁର ଉପରେ ଓଡିଶା ନିର୍ଭରଶୀଳ । ଚାହିଦା ମେଣ୍ଟାଇବାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବାରୁ ଚାହିଦା ବଢୁଛି । ତେବେ ଆସନ୍ତା ଏକ ମାସ ଭିତରେ ପରିବା ଦର କମିବ ବୋଲି କଞ୍ଚା ପନିପରିବା ବ୍ୟବସାୟୀ ସଂଘ ଆଶା ରଖିଛନ୍ତି ।

କିଛି ସ୍ଥାନରେ ଗୋଦାମରୁ ଖୁଚୁରା ବ୍ୟବସାୟୀ କମ ଦାମରେ ପରିବା କିଣି ଚଢା ଦରରେ ବିକ୍ରି କରୁଛନ୍ତି । ତେବେ ବଜାରକୁ ପ୍ରଚୁର ପରିମାଣରେ ପରିବା ଆସିଲେ ଦର କମିବ ବୋଲି ଆଶା କରାଯାଉଛି ।