ଶୁଣିଲାନି ପ୍ରଶାସନ । ଏକାଠି ହେଲେ ଗଜପତି ଗୁମ୍ମା ବ୍ଲକ ଆବାଡ଼ ଗାଁର ଲୋକେ, ହାତରେ କୋଡ଼ି କୋଦାଳ ଧରି ମରାମତି କଲେ ରାସ୍ତା

66

କନକ ବ୍ୟୁରୋ : ଶୁଣିଲାନି ପ୍ରଶାସନ । ଶେଷରେ ବାଧ୍ୟ ହୋଇ ନିଜସ୍ୱ ଉଦ୍ୟମରେ ରାସ୍ତା ତିଆରିଲେ ଗ୍ରାମବାସୀ । ରାସ୍ତା କାମ ପାଇଁ ଗାଁ ଲୋକ ଏକାଠି ହୋଇଛନ୍ତି । ହାତରେ କୋଡ଼ି କୋଦାଳ ଧରି ନିଜେ ମାଟି ହାଣିବା ସହ ରାସ୍ତା ସମତୁଲ କରୁଛନ୍ତି । ଗାଁର ପୁରୁଷ, ମହିଳା, ପିଲା, ଛୁଆ ସମସ୍ତେ ମିଶି ରାସ୍ତା କାମରେ ଲାଗିଛନ୍ତି । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଆବାଡ଼ ଗାଁର । ଏହି ବ୍ଳକର ଉଖୁରା, ତରଭା ଏବଂ ବାଇଝଲ ପଂଚାୟତର ୧୨ଟି ଗାଁର ଲୋକଙ୍କ ପାଇଁ ରାସ୍ତା ଖଣ୍ଡିଏ ନାହିଁ । ବାରମ୍ବାର ସରକାରଙ୍କୁ ଦାବି ଜଣାଇଲେ ମଧ୍ୟ ଫଳ ଶୁନ୍ । ତେଣୁ ବାଧ୍ୟ ହୋଇ ନିଜ ଉଦ୍ୟମରେ ମାଟି ପକାଇ ରାସ୍ତା ମରାମତି କରୁଛନ୍ତି ଗାଁ ଲୋକ । ତେଣୁ ରାସ୍ତା ନିର୍ମାଣ ନହେଲେ ଆସନ୍ତା ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ରାସ୍ତା ସମସ୍ୟା ପାଇଁ ଯୋଗାଯୋଗ ବ୍ୟବସ୍ଥା ଯେମିତି ବେହାଲ ହୋଇପଡ଼ିଛି । ଦେହ ଖରାପ ହେଲେ ଗାଁକୁ ଆମ୍ବୁଲାନ୍ସ ଆସିପାରୁନାହିଁ । ଫସଲ ଅମଳ ପରେ ବିକ୍ରି କରିବା ସମ୍ଭବ ହୋଇପାରୁନାହିଁ । ଏନେଇ ଗୁମ୍ମା ବିଡ଼ିଓଙ୍କ ସହ ଯୋଗାଯୋଗ କରିବା ପରେ ତାଙ୍କ ପାଖରେ ଏନେଇ କୌଣସି ସୂଚନା ନଥିବା ସେ କହିଛନ୍ତି । ଅଭିଯୋଗ ପରେ ଖୁବ୍ ଶିଘ୍ର ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଗୁମ୍ମା ବିଡ଼ିଓ ।

ସରକାର ଦୁର୍ଗମ ଅଂଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ତୃଣମୂଳ ସ୍ତରରେ ଏହାର ବାସ୍ତବତା ଭିନ୍ନ ଦେଖିବାକୁ ମିଳିଛି ।