ଗାଁକୁ ବିଦ୍ୟୁତ୍ ତାର ଟଣା ହୋଇଛି । ବଡ଼ ଟ୍ରାନ୍ସଫର୍ମର ବି ବସିଛି, ହଲେ ୫ ବର୍ଷ ହେଲା ହେଉନି ବିଦ୍ୟୁତ୍ ସଂଯୋଗ

104

କନକ ବ୍ୟୁରୋ : ଖୁଂଟ ପୋତା ହେଇଛି । ତାର ବି ଟଣାଯାଇଛି । ୫ ବର୍ଷ ହେଲା ଟ୍ରାନ୍ସଫର୍ମର ମଧ୍ୟ ବସିଛି । କିନ୍ତୁ ସେଥିରେ ବିଦ୍ୟୁତ୍ ସଂଯୋଗ ନାହିଁ । ଆଜି ବି ଲୋକଙ୍କ ସାହାରା ପାଲଟିଛି ଡିବିରି ଆଲୁଅ । ଅନଗୁଳୁ ଜିଲ୍ଲା ନନ୍ଦପୁର ପଂଚୟତ ବାଘୁଆପାଟ ଗାଁରୁ ଆସିଛି ଏଭଳି ସମସ୍ୟା । ଗୋଟିଏ ପଟେ ଗାଁରେ ବିଦ୍ୟୁତ୍ ସଂଯୋଗ ଦେବାକୁ ବନ ବିଭାଗର ଆନ୍ତରିକତା ନଥିବା ବେଳେ ଅନ୍ୟପଟେ ତାର ଟାଣି ଦେଇ ହାତ ବାନ୍ଧି ବସିଛି ବିଦ୍ୟୁତ୍ ବିଭାଗ । ତେବେ ଦୁଇ ବିଭାଗର ଛକାପଂଝା ଭିତରେ ଫସିଯାଇଛନ୍ତି ବାଘୁଆପାଟ ଗ୍ରାମବାସୀ ।

ବଣଜଙ୍ଗଲ ଘେରା ବାଘୁଆପାଟ ଗାଁରେ ୩୦ରୁ ଅଧିକ ପରିବାର ବସବାସ କରୁଛନ୍ତି । ଜଙ୍ଗଲ ଭିତରେ ଥିବା ଏହି ଗାଁକୁ ସବୁବେଳେ ଜଙ୍ଗଲି ଜୀବଙ୍କ ଭୟ ରହିଛି । ପୁର୍ବରୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା । ହେଲେ ଖୋଲା ତାରରେ ବନ୍ୟଜନ୍ତୁ ଶିକାର ଆଶଙ୍କା କରି ଏଥିରେ ପ୍ରତିବନ୍ଧକ ଲଗାଇଥିଲା ବନ ବିଭାଗ । ଫଳରେ ବିଦ୍ୟୁତ୍ ବିଭାଗ ସଂଯୋଗ କାଟିଦେଇଥିବା ଜଣାପଡ଼ିଛି । ଏହାରି ଭିତରେ ୫ ବର୍ଷ ବିତିଗଲାଣି । ନାଁ ବନ ବିଭାଗର ଆନ୍ତରିକତା ଅଛି ନାଁ ଲୋକ ମାନେ ବିଜୁଳି ଆଲୋକ ପାଇପାରୁଛନ୍ତି ।

ସଂଜ ନଇଲେ ଗାଁରେ ତାଟି କବାଟ ପଡ଼ୁଥିବା ବେଳେ ଡ଼ିବି ଲଣ୍ଠନ ଜାଳି ଦିନ କାଟୁଛନ୍ତି ଏହି ଗାଁର ଲୋକେ । ବିଜୁଳି ଖୁଂଟରେ ଗଛ ଲତା ମାଡ଼ିଯାଇଥିବା ବେଳେ ଟ୍ରାନ୍ସଫର୍ମର ମଧ୍ୟ ଭାଙ୍ଗି ଗଲାଣି । ବିଜୁଳି ସଂଯୋଗ ପାଇଁ ବାରମ୍ବାର ଦାବି ପରେ ବି ପ୍ରଶାସନ ଶୁଣୁନଥିବା ଅଭିଯୋଗ ହୋଇଛି ।