ଉପକୂଳ ଅଂଚଳର ସୁରକ୍ଷା କବଚ ସାଜିଛି ଭିତରକନିକାର ଲୁଣା ଜଙ୍ଗଲ । ଜଙ୍ଗଲ ପାଇଁ ଜମି ଦାନ କରି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ରାଜନଗର ଅଂଚଳର ୩୨ ପରିବାର

69

କନକ ବ୍ୟୁରୋ : ଭିତରକନିକାରୁ ଆସିଛି ଭଲ ଖବର । ଲୁଣା ଜଙ୍ଗଲର ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ସ୍ଥାନୀୟ ଲୋକେ ଆଗେଇ ଆସିଛନ୍ତି । ଭିତରକନିକା ଲୁଣା ଜଙ୍ଗଲର ପରିସୀମା ବଢାଇବା ପାଇଁ ସ୍ଥାନୀୟ ଲୋକେ ନିଜର ମୂଲ୍ୟବାନ ଜମି ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ଭିତରକନିକାର ଲୁଣା ଜଙ୍ଗଲ ଉପକୂଳ ଅଂଚଳର ସୁରକ୍ଷା କବଚ ସାଜିଛି । ଓଡିଶାରେ ମାତ୍ର ୨୧୩ ବର୍ଗ କିମି ଲୁଣା ଜଙ୍ଗଲ ଥିବାବେଳେ କେବଳ ଭିତରକନିକାରେ ୧୮୩ ବର୍ଗକିମି ଥିବା ଭାରତ ସରକାରଙ୍କ ବନ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ କହୁଛି । ଭିତରକନିକା ଅଂଚଳର ୩୨ ପରିବାର ଲୁଣା ଜଙ୍ଗଲ ସୃଷ୍ଟି ପାଇଁ ସମର୍ପିତ ହୋଇଛନ୍ତି ।

ଲୁଣା ଜଙ୍ଗଲର ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏବେ ସ୍ଥାନୀୟ ଲୋକଙ୍କ ଅବଦାନ ବେଶ ପ୍ରଶଂସନୀୟ ହୋଇଛି । ଭିତରକନିକାର ଲୁଣା ଜଙ୍ଗଲ ପରିସୀମା ବଢାଇବା ପାଇଁ ପାଖାପାଖି ୫୦ ଲକ୍ଷ ଟଙ୍କାର ମୂଲ୍ୟବାନ ପୈତୃକ ଜମି ବନବିଭାଗକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ଜମିରେ ରାଇ, ସିନ୍ଦୁକା, ଶିଶୁମର, ହେନ୍ତାଳ ପ୍ରଭୃତି ଲୁଣାଗଛ ଚାରା ରୋପଣ କରାଯାଇଛି । ଲୋକ ମାନଙ୍କ ଏହି ନିଆରା ପଦକ୍ଷେପକୁ ରାଜନଗର ବନଖଣ୍ଡ ଅଧିକାରୀ ପ୍ରଶଂସା କରିଛନ୍ତି ।

ଲୁଣା ଜଙ୍ଗଲର ପରିସୀମା ବୃଦ୍ଧି ଓ ଉପକୂଳର ସୁରକ୍ଷା ପାଇଁ ମ୍ୟାନଗ୍ରୁଭ ମିତ୍ର କାର୍ଯ୍ୟକ୍ରମରେ ଅଂଚଳବାସୀ ସାମିଲ ହେବା ପାଇଁ ବନବିଭାଗ ତରଫରୁ ନିବେଦନ କରାଯାଉଛି । ପ୍ରତ୍ୟେକ ବର୍ଷ ବିଶ୍ୱ ଆର୍ଦ୍ରଭୂମି ଦିବସରେ ଜମିଦାନ କରିଥିବା ପରିବାରକୁ ସମ୍ମାନୀତ କରୁଛି ବନବିଭାଗ ।