ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ଶିକ୍ଷକ ସଂଘ । ଚାକିରି ନଥିବାରୁ ରାଜଧାନୀରେ ‘ମୋ ବେକାର ହାଟ’

66

କନକ ବ୍ୟୁରୋ : ଶାଢ଼ୀ ଦୋକାନ, ଲୁହା ଟିଣ କବାଡ଼ିଆ, ମିଠା ଦହିବରା, ଶୁଖୁଆ ଦୋକାନ, ପିଠା ଦୋକାନ । ଲାଗୁଛି ଯେପରି ରାଜଧାନୀରେ ପଡ଼ିଛି ହାଟ । ଏ ହାଟ ଗାଁରେ ପଡ଼ୁଥିବା ହାଟ ନୁହେଁ, ଏ ହେଉଛି ରାଜଧାନୀରେ ପଡ଼ିଥିବା ବେକାରୀ ହାଟ । ଚାକିରି ନପାଇ ରାଜଧାନୀରେ କିଛି ଏଭଳି ନିଆରା ପ୍ରତିବାଦ କରିଛନ୍ତି ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ମିଳିତ ମଂଚ । ଏଠାରେ ବିଭିନ୍ନ ପ୍ରକାରର ସାମଗ୍ରୀ ବିକ୍ରି ହେଉଛି । ଆଚାର, ପାମ୍ପଡ, ପନିପରିବ. ଚୁଡ଼ି ଦୋକାନ ଲଗାଇ ପ୍ରତିବାଦ କରୁଛନ୍ତି । ଏହାସହ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ମୁହଁରେ ରଙ୍ଗ ବୋଳି ନିଆରା ପ୍ରତିବାଦ ମଧ୍ୟ କରୁଛନ୍ତି ।

ନୂତନ କ୍ୟାଡର ରୁଲକୁ ଲାଗୁ କରିବା ଦାବିରେ ଗଣଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ବାସଭବନ ଘେରିଲେ ମାଧ୍ୟମିକ ସଂସ୍କୃତ ଓ ହିନ୍ଦି ଶିକ୍ଷକ ମିଳିତ ମଂଚ । ୧୨ ବର୍ଷରୁ ଅଧିକ ସମୟ ଧରି ଚାକିରି କରିଥିଲେ ବି ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ପଦୋନ୍ନତି କରାଯାଉନଥିବା ସଂଘ କହିଛି । ଏପରିକି ବାରମ୍ବାର ମନ୍ତ୍ରୀଙ୍କୁ ଶିକ୍ଷକମାନେ ଲିଖିତ ଭାବେ ଜଣାଇ ନିରାଶ ହେବା ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି ।

ଦୁଇ ଦଫା ଦାବି ପୂରଣ ନେଇ ଓଡିଶା ସରକାରୀ ହାଇସ୍କୁଲ ଏନପିଏସ ଶିକ୍ଷକ ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛି । ୨୦୧୩ ପରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ ଚାକିରିରେ ୬ ବର୍ଷ ଚୁକ୍ତି ଅବିଧି ଯୋଗ ସହିତ ୬ଟି ଇନକ୍ରିମେଂଟ କରିବାକୁ ସଂଘ ଦାବି କରିଛି । ଫେବୃଆରୀ ୨୦ରୁ ଆରମ୍ଭ ହେଉଥିବା ମାଟ୍ରିକ ପରୀକ୍ଷା ଓ ମୂଲ୍ୟାଙ୍କନ ପ୍ରକ୍ରିୟାକୁ ବର୍ଜନ କରିବାକୁ ସଂଘ ଚେତାବନୀ ଦେଇଛି ।