କରୋନା ଟିକା ପଛର ସତ କାହାଣୀ । ବଡ ପରଦାରେ କାହାଣୀ ଦେଖିଲେ ହୋଇଯିବେ ଚକିତ

227

କନକ ବ୍ୟୁରୋ : ରିଲିଜ ହେଲା ଚଳଚିତ୍ର କରୋନା ଆଜି ବି ଏହି ଶବ୍ଦ ଶୁଣିଲେ ଦେହ ଥରିଯାଏ । ପାଦ ତଳୁ ମାଟି ଖସିଯାଏ । ଏହି ବିଶ୍ୱ ମହାମାରୀ ଅନେକ କିଛି ଛଡ଼ାଇ ନେଇଛି । ଯେତେବେଳେ କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଥିଲା ସେତେବେଳେ ଲ୍ୟାବ୍ ଭିତରେ କୋଭିଡ ଟିକା ପ୍ରସ୍ତୁତରେ ଲାଗିଥିଲେ ବୈଜ୍ଞାନିକ । ସେ ସମୟର କାହାଣୀକୁ କନକ ନ୍ୟୁଜ ଆଗରେ ବଖାଣିଛନ୍ତି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିର ବୈଜ୍ଞାନିକ ପ୍ରଜ୍ଞା ଯାଦବ ।

କୋଭିଡ ସମୟରେ ଜୀବନମୃତ୍ୟୁ ସହ ଯେତେବେଳେ ସାରା ବିଶ୍ୱ ସଂଘର୍ଷ କରୁଥିଲା, ସେତେବେଳେ କୋଭିଡ ଟିକା ପ୍ରସ୍ତୁତ କରିବାରେ ଲାଗିଥିଲେ ବୈଜ୍ଞାନିକ । ପୁଣେ ସ୍ଥିତ ଆଇସିଏମ୍ଆର୍ ଓ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିର ବିଜ୍ଞାନଗାରରେ ପ୍ରସ୍ତୁତ ହେଉଥିଲା ସ୍ୱଦେଶୀ କୋଭିଡ ଟିକା । ବୈଜ୍ଞାନିକଙ୍କ ସଂଘର୍ଷ ଓ ସଫଳତାର କାହାଣୀ କହୁଛି ଏହି ହିନ୍ଦୀ ଚଳଚିତ୍ର ।

ନ୍ୟାସ୍ନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିର ବରିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି ପ୍ରଜ୍ଞା ଯାଦବ । ଏହି ଚଳଚିତ୍ରରେ ବୈଜ୍ଞାନିକ ପ୍ରଜ୍ଞା ଯାଦବଙ୍କ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତ୍ରୀ ନିବେଦିତା ଭଟାଚାର୍ଯ୍ୟ । କୋଭିଡ ସମୟରେ ବିଜ୍ଞାନଗାରରେ ବିତାଇଥିବା ସେହି ମୁହୁର୍ତକୁ କନକ ନ୍ୟୁଜ କ୍ୟାମେରା ଆଗରେ ବଖାଣିଛନ୍ତି ପ୍ରଜ୍ଞା । ସେଦିନର କଥା ମନେ ପକାଇ ହୋଇପଡିଛନ୍ତି ଭାବ ବିହ୍ୱଳ ।

କରୋନା ମହାମାରୀ ସମୟରେ ପ୍ରଜ୍ଞାଙ୍କ ଭଳି ଅନେକ ବୈଜ୍ଞାନିକଙ୍କ ରାତି ଦିନ ବିଜ୍ଞାନଗାରରେ ହିଁ ବିତିଛି । କୋଭିଡ ଟିକା ପ୍ରସ୍ତୁତ କରିବା ସମୟରେ ସମସ୍ତେ ଭୁଲିଯାଇଥିଲେ ଘର ଦ୍ୱାର । କେବଳ ଥିଲା ଗୋଟିଏ ଲକ୍ଷ୍ୟ, କିପରି ପ୍ରସ୍ତୁତ ହେବ ଟିକା ।

କୋଭିଡ ଛାଡିଯାଇଛି ଅନେକ ଦୁଃଖ ଓ ଯନ୍ତ୍ରଣା । ଆଖି ସାମ୍ନାରେ ଚାଲିଯାଇଛି ବନ୍ଧୁ ପ୍ରିୟଜନଙ୍କ ଜୀବନ । ନିଜର କେହି ଅତି ଆପଣାର ଆଖି ବୁଜୁଥିବାବେଳେ ଶେଷ ସ୍ପର୍ଶ କରିବାକୁ ମଧ୍ୟ ମିଳୁନଥିଲା ଅନୁମତି । ଆଉ ସେହି ସମୟରେ ଯୋଦ୍ଧା ସାଜି ଭ୍ୟାକ୍ସିନ ତିଆରିରେ ଲାଗିଥିଲେ ପ୍ରଜ୍ଞାଙ୍କ ଭଳି ଶହ ଶହ ବୈଜ୍ଞାନିକ ।