ଧାରଣାରେ ପଶୁ ଡାକ୍ତର, ନିଦା ବିଷ୍ଣୁ ସାଜିଛି ପ୍ରଶାସନ । ଯନ୍ତ୍ରଣାରେ ଛଟପଟ ପଶୁପକ୍ଷୀ

57

 କନକ ବ୍ୟୁରୋ : ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ପଶୁପକ୍ଷୀ । କିନ୍ତୁ ପ୍ରାଣୀ ଚିକିତ୍ସକ ଆନ୍ଦୋଳନରେ ଥିବାରୁ ଚିକିତ୍ସା ବିଳମ୍ବ ହୋଇଛି । ତେବେ ଶେଷରେ ଜିଲ୍ଳାପାଳଙ୍କ ନିର୍ଦ୍ଦେଶରେ ଭଦ୍ରକ ମୁଖ୍ୟ କାର୍ଯ୍ୟାଳୟରୁ ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଆସି ବାଛୁରୀର ଚିକିତ୍ସା କରିଛନ୍ତି ।

ଗୋଟିଏ ପଟେ ପ୍ରାଣି ଚିକିତ୍ସକ ଏକାଧିକ ଦାବି ନେଇ ଆନ୍ଦୋଳନ ଚଳାଇଥିବାବେଳେ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ଏଭଳି ଚିତ୍ର । ବାରିପଦାରେ ମଲା କୁକୁଡା ଧରି ଚାଷୀ ଜିଲ୍ଲାପାଳ କାର୍ଯ୍ୟାଳୟରେ ପ୍ରତିବାଦ ଜଣାଇଛନ୍ତି । କଟକରେ ପାଳିତ କୁକୁର ଧରି ଜିଲ୍ଳାପାଳଙ୍କ ଅଫିସରେ ପହଁଚିଛନ୍ତି ଲୋକେ । ସେହିପରି କଳାହାଣ୍ଡିରେ କୁକୁଡା ଚାଷ କରୁଥିବା ଏସଏଚଜି ମହିଳା ପ୍ରତିବାଦ କରିଛନ୍ତି ।

ଚିକିତ୍ସା ଅଭାବରୁ ପଶୁ-ପକ୍ଷୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ି ଚାଲୁଥିବାବେଳେ, ଜିଦରେ ଅଟଳ ପ୍ରାଣୀ ଚିକିତ୍ସକ । ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ।

ଦିନକୁ ଦିନ ପରିସ୍ଥିତି ବିଗିଡିବାରେ ଲାଗିଛି । ତେଣୁ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦାବି ବଢ଼ିବାରେ ଲାଗିଛି ।