ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଲାଗୁ । ସମସ୍ତ କାର୍ଯ୍ୟାଳୟରୁ ହଟୁଛି ହୋଡିଂ,ଲିଫଲେଟ୍, ପୋଷ୍ଟର ।

193

କନକ ବ୍ୟୁରୋ: ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ ହେବ । ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ୨୪ ଘଣ୍ଟା ମଧ୍ୟରେ ସମସ୍ତ କାର୍ଯ୍ୟାଳୟ ପରିସରରୁ ହୋଡିଂ, ଲିଫଲେଟ୍, ପୋଷ୍ଟର ଓ ସରକାରୀ ଯୋଜନାର ବାର୍ତ୍ତା ହଟାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ ଏଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ହଟାଯାଉଛି । ବାଲେଶ୍ୱର ଓ ବୌଦ୍ଧରେ ରାତିରେ ହୋର୍ଡିଂ ଓ ପୋଷ୍ଟର ହଟାଯାଉଛି । ଏଥର ନିର୍ବାଚନ କମିଶନ ନିର୍ବାଚନ ଆଚରଣ ବିଧି କଡାକଡି ହେବ ବୋଲି ଘୋଷଣା କରିଛନ୍ତି । ଏହାପରେ ଏଭଳି ହୋର୍ଡିଂ ଓ ପୋଷ୍ଟ ହଟାଇବା କାମ ଆରମ୍ଭ ହୋଇଛି ।

ସେପଟେ ନିର୍ବାଚନ ତାରିଖ ଘୋଷଣା ପରେ ପୁରୀରେ ବି ପ୍ଲାଗମାର୍ତ୍ତ କରିଛି ପୁଲିସ । ମେ ୨୫ରେ ପୁରୀରେ ନିର୍ବାଚନ ହେବ । ନିର୍ବାଚନକୁ ଶୃଙ୍ଖଳିତ ଓ ଅବାଧ କରିବାକୁ ପୁରୀ ପୁଲିସ ପକ୍ଷରୁ ଏଭଳି ଫ୍ଲାଗମାର୍ଚ୍ଚ କରାଯାଇଛି । ବିଭିନ୍ନ ଥାନା ଅଧିକାରୀଙ୍କ ସହ ଏକ କମ୍ପାନୀ ସୁରକ୍ଷା ବଳ ଏହି ଫ୍ଲାଗମାର୍ଚ୍ଚ କରିଛନ୍ତି । ସିଂହଦ୍ୱାରଠାରୁ ଆରମ୍ଭ ହୋଇ ଶ୍ରୀମନ୍ଦିର ଚାରିପାଖ ଓ ବଡଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିର ଯାଏଁ ପୁଲିସ ଏଭଳି କରିଛି । ଅପରାଧିକ ଗତିବିଧି ଉପରେ ନଜର ରଖିବା ଓ ସହରରେ ଶାନ୍ତି ବଜାୟ ରଖିବା ପାଇଁ ପ୍ଲାଗମାର୍ଚ୍ଚ ହୋଇଛି ।