କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ଚୌବେଙ୍କ ଟିକେଟ କାଟିବା ବିଜେପି ପାଇଁ ପଡିପାରେ ଭାରି । ଜାଣନ୍ତୁ ଟିକେଟ କଟିବା ପରେ କଣ କହୁଛନ୍ତି କେନ୍ଦ୍ରମନ୍ତ୍ରୀ

6,069

କନକ ବ୍ୟୁରୋ : ବିହାର ବକ୍ସର ଲୋକସଭା ଆସନରେ ଲଢେଇ ଏଥର ରୋଚକ ହେବାକୁ ଯାଉଛି । ବିଜେପି ଟିକେଟରୁ ୨୦୧୯ ରେ ବିଜୟୀ ହୋଇଥିବା ଅଶ୍ୱନୀ ଚୌବେଙ୍କୁ ଏଥର ବିଜେପି ଟିକେଟ ଦେଇନାହିଁ । ଏହାକୁ ନେଇ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ଚୌବେ କହିଛନ୍ତି କି, ମୁଁ ବକ୍ସରରେ ରହିବି ।

ଅଶ୍ୱନୀ ଚୌବେଙ୍କର ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ କହୁଛନ୍ତି କି, ଏବେ ବି ନାମାଙ୍କନ ବାକି ରହିଛି , ଆଗକୁ ବହୁତ କିଛି ହେବାର ଅଛି । କିଏ କଣ ବୁଝିଲା ବା ନବୁଝିଲା ମୋତେ କିଛି ଫରକ ପଡିବ ନାହିଁ, ହେଲେ ଯେଉଁ ଷଡଯନ୍ତ୍ରକାରୀମାନେ ମୋ ଟିକେଟ କାଟିଛନ୍ତି ନିର୍ବାଚନ ପରେ ସେମାନଙ୍କ ବିଚାର କରାଯିବ ବୋଲି ଅଶ୍ୱନୀ ଚୌବେ କହିଛନ୍ତି ।

ବିଜେପି ଚଳିତ ନିର୍ବାଚନରେ ବିହାର ବକ୍ସର ଆସନରେ ଚୌବେଙ୍କ ଟିକେଟ କାଟି ତାଙ୍କ ସ୍ଥାନରେ ମିଥିଲେଶ ତିୱାରୀଙ୍କୁ ପ୍ରାର୍ଥୀ କରିଛି । ସେପଟେ ମହାମେଣ୍ଟ ତରଫରୁ ଏଥର ଏହି ଆସନରେ ଆରଜେଡି ପ୍ରାର୍ଥୀ ଦେଇଛି । ଆରଜେଡି ତରଫରୁ ବିହାରର ପୂର୍ବତନ ମନ୍ତ୍ରୀ ସୁଧାକର ସିଂଙ୍କୁ ପ୍ରାର୍ଥୀ କରାଯାଇଛି । ଏହାସହ ଆଇପିଏସ୍ ଚାକିରି ଛାଡି ଏଥର ଆନନ୍ଦ ମିଶ୍ରା ମଧ୍ୟ ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି ।

ସେପଟେ ଅଶ୍ୱନୀ ଚୌବେଙ୍କ ରାଜନୈତିକ ଇତିହାସ ଦେଖିଲେ ବକ୍ସର ଆସନରୁ ସେ ବିଜେପି ଟିକେଟରୁ ୨ ଥର ସାଂସଦ ହୋଇଛନ୍ତି । ଏଥର ବି ସେ ଆଶା କରିଥିଲେ କି ଦଳ ତାଙ୍କୁ ପୁଣିଥରେ ପ୍ରାର୍ଥୀ କରିବ । ହେଲେ ଦଳ ପୂର୍ବତନ ବିଧାୟକ ମିଥିଲେଶ ତିୱାରୀଙ୍କୁ ପ୍ରାର୍ଥୀ କରିବା ପରେ ବିଦ୍ରୋହ ଆରମ୍ଭ କରିଦେଇଛନ୍ତି ଅଶ୍ୱନୀ ଚୌବେ ।