ଲୋକଶକ୍ତିର ହେଲା ବିଜୟ । ଗାଁକୁ ଫେରିଲା ଖୁସି । ସତ୍ୟାଗ୍ରହ କରି ନିଜ ଅଧିକାର ଛଡାଇ ଆଣିଲେ କାହ୍ନୁଗୁଡା ଗ୍ରାମବାସୀ 

105

କନକ ବ୍ୟୁରୋ: ଦୀର୍ଘ ବର୍ଷ ପରେ କାହ୍ନୁଗୁଡ଼ା ଗାଁକୁ ଫେରିଛି ଖୁସି । ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରି ଉତ୍ସବ ପାଳନ କରିଛନ୍ତି । ପରସ୍ପରକୁ ମିଠା ଖୁଆଇବା ସହ ବାଜା ବଜାଇ ପାରମ୍ପରିକ ନୃତ୍ୟ ପରିବେଷଣ କରିଛନ୍ତି । କାରଣ ହେଉଛି, ଯେଉଁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ସେମାନେ ପ୍ରଶାସନକୁ ବର୍ଷ ବର୍ଷ ଧରି ଗୁହାରି କରି ନିରାଶ ହେଉଥିଲେ ଆଜି ସେଥିରେ ସଫଳ ହୋଇଛନ୍ତି । ଗାଁର ଆବାଳ ବୃଦ୍ଧ ବନତା ସତ୍ୟାଗ୍ରହ କରି ନିଜ ଅଧିକାର ହାସଲ କରିଛନ୍ତି ।

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ବଣ, ପାହାଡ଼ ଓ ଝରଣା ଘେରରେ ରହିଛି କାହ୍ନୁଗୁଡ଼ା ଗାଁ । ଏହି ଜନବସତିରେ ରହିଛି ୧୮୦ରୁ ଅଧିକ ପରିବାର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ଗାଁ କିନ୍ତୁ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହି ଆସିଛି । ଅଙ୍ଗନବାଡ଼ି ଘର ଅଛି, ହେଲେ ଦିଦି ଆସନ୍ତିନି, ସ୍କୁଲ ଅଛି ହେଲେ ଶିକ୍ଷକଙ୍କ ଦେଖାମିଳେନି । ସ୍ୱାସ୍ଥ୍ୟକେନ୍ଦ୍ର ରହିଛି, କିନ୍ତୁ ଡାକ୍ତର ନାହାନ୍ତି । ଗାଁକୁ ଲାଗି ନଦୀ ବହିଯାଇଛି, ହେଲେ ବିଶୁଦ୍ଧ ପାଣି ପାଇଁ ବ୍ୟବସ୍ଥା ନାହିଁ । ଗାଁରୁ ବାହାରକୁ ଯିବା ପାଇଁ ନଦୀ ଭିତର ଦେଇ ଯିବାକୁ ପଡ଼େ । ଖରା ଦିନେ ସିନା ଆଣ୍ଠୁଏ ପାଣି, ବର୍ଷା ଦିନେ ପାଣି ଅକାତ କାତ । ସମସ୍ୟା ଘେରରେ ଥିବା ଏହି ଗାଁର ଲୋକ, ନଦୀରେ ପୋଲ ନିର୍ମାଣ ଠାରୁ ପିଇବା ପାଣି ପର୍ଯ୍ୟନ୍ତ ବ୍ୟବସ୍ଥା ପାଇଁ ନେହୁରା ହୁଅନ୍ତି ପ୍ରଶାସନ ଆଗରେ ହେଲେ, କେହି ସେମାନଙ୍କ ଦୁଃଖ ଶୁଣିନଥାନ୍ତି ।

ବାରମ୍ବାର ନିରାଶ ହେବା ପରେ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ । ମୌଳିକ ଅଧିକାର ହାସଲ ପାଇଁ ସେମାନଙ୍କ ନେତୃତ୍ୱ ନେଲେ ସ୍ୱେଚ୍ଛାସେବୀ ବଳରାମ ପଣ୍ଡା । ସତ୍ୟାଗ୍ରହ ମାଧ୍ୟମରେ ନିଜ ଅଧିକାର ଛଡ଼ାଇ ଆଣିବା ପାଇଁ ଆରମ୍ଭ ହେଲା ଅନ୍ତିମ ଲଢ଼େଇ । ଘନ କୁହୁଡ଼ି, ହାଡ଼ଭଙ୍ଗା ଶୀତକୁ ଖାତିର ନକରି ଛୋଟଠାରୁ ବୟସ୍କ ସମସ୍ତେ ପଦଯାତ୍ରା ଓ ସତ୍ୟାଗ୍ରହ ପାଇଁ ପ୍ରସ୍ତୁତ ହେଲେ । ଆରମ୍ଭ ହେଲା ଗାଁରୁ କାଶିପୁର ବ୍ଲକ ୨୨ କିଲୋମିଟରର ପଦଯାତ୍ରା ଓ ଧାରଣା । ଆନ୍ଦୋଳନ ପାଇଁ ମୁଠି ଭିକ୍ଷା କଲେ ବଳରାମ ପଣ୍ଡା । ଖାଦ୍ୟଶସ୍ୟ ଠାରୁ ଟଙ୍କା ପଇସା ଦେଇ ସତ୍ୟାଗ୍ରହକୁ ସଫଳ କରିବା ପାଇଁ ଆଗେଇ ଆସିଲେ । ବର୍ଷା ଓ ହାଡ଼ଭଙ୍ଗା ଶୀତକୁ ଖାତିର ନକରି ଅହିଂସା ଆନ୍ଦୋଳନ, ଦିବାରାତ୍ର ଧାରଣା, ନିରବ ପ୍ରତିବାଦ ପ୍ରଶାସନର ଆଖି ଖୋଲି ଦେଇଥିଲା । ରାସ୍ତାରେ ବସି ପିଲାମାନେ ଯେଭଳି ରାମଧୁନ ଗାଉଥିଲେ, ତାହା ସମସ୍ତଙ୍କ ମନରେ ଶିହରଣ ଖେଳାଇ ଦେଇଥିଲା ।

ଯେଉଁ ପ୍ରଶାସନ ଗାଁ ଲୋକଙ୍କ ଗୁହାରିକୁ ହେୟ ଜ୍ଞାନ କରୁଥିଲା, ରାତିରାତି ଦାବି ପୂରଣ ପାଇଁ ଆଗେଇ ଆସିଲା । ପିଇବା ପାଣି ପାଇଁ ୩ଟି ଗଭୀର ନଳକୂପ, ସ୍କୁଲ ପାଇଁ ଶିକ୍ଷକ ବ୍ୟବସ୍ଥା ହେଲା । ସବୁଠୁ ବଡ଼ ଦାବି ବ୍ରିଜ୍ ନିର୍ମାଣ ପାଇଁ ବି ପ୍ରତିଶ୍ରୁତି ମିଳିଲା । ଧାରଣାର ୩୬ ଘଣ୍ଟା ପରେ ରାୟଗଡ଼ା ଉପଜିଲ୍ଲାପାଳ ଗ୍ରାମବାସୀଙ୍କୁ ଭେଟିବାକୁ ବାଧ୍ୟ ହୋଇଥିଲେ । ଫେବ୍ରୁଆରୀ ୧ ତାରିଖ ପୂର୍ବରୁ ସବୁ ସମସ୍ୟାର ସମାଧନ ସହ ୧୫ ଦିନ ମଧ୍ୟରେ ନଦୀରେ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ ।