ଅଂଶୁଘାତ ଖବର ଭିତରେ ଆଶ୍ୱସ୍ତି ଆଣିଲା ବର୍ଷା: ତାତିରୁ ମିଳିଲା ତ୍ରାହି, ବର୍ଷାରେ ଭିଜିଲା ସୁନ୍ଦରଗଡ

711

କନକ ବ୍ୟୁରୋ: ଖରାରେ ସିଝୁଛି ପୂରା ପଶ୍ଚିମ ଓଡିଶା । ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଭିତରେ କାଲିର ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଥିଲା । ଗତକାଲି ସୁନ୍ଦରଗଡ ଜିଲ୍ଲାରେ ଅଂଶୁଘାତରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ହେଲେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଆଜି ହଠାତ କଳାହାଣ୍ଡିଆ ମେଘ ମାଡି ଆସିବା ସହ, ବର୍ଷା ସହ ଘଡଘଡି ଆରମ୍ଭ ହୋଇଥିଲା ଯାହା ଫଳରେ ଏହା ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି ।

ଗତ କିଛି ଦିନ ହେବ ସାରା ପଶ୍ଚିମ ଓଡିଶା ପ୍ରଚଣ୍ଡ ଖରାରେ ଆଉଟୁପାଉଟୁ ହେଉଛି । ଆଜି ମଧ୍ୟ ସମ୍ବଲପୁରରେ ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ଏଭଳି ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଭିନ୍ନ ସ୍ଥାନରୁ ଅଂଶୁଘାତ ଜନିତ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି ।

ଭୀଷଣ ତାତି ଯୋଗୁଁ ରାଉରକେଲାରେ ଅସମ୍ଭାଳ ସ୍ଥିତି ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୮ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ଷ୍ଟିଲସିଟି ରାଉରକେଲାରେ ୧୨ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ବେଳେ ଦୁଇ ଦିନରେ ସୁନ୍ଦରଗଡର ଅନ୍ୟସ୍ଥାନରେ ୮ ଜଣଙ୍କ ଜୀବନ ଯାଇଛି । ଏବେ ବି ୩୩ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ରାଉରକେଲା ହାଇଟେକ୍ ମେଡିକାଲରେ ୧୦ ଜଣ ଓ ଆରଜିଏଚ୍ ୨୩ ଜଣଙ୍କ ଚିକିତ୍ସା ଜାରି ରହିଛି । ଗତକାଲିର ତାତି ଯୋଗୁଁ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ସରକାରୀ ସୂଚନା ଅନୁସାରେ, ଏତିକି ମୃତ୍ୟୁ ଓ ଆହାତଙ୍କ କଥା କୁହାଯାଉଥିବା ବେଳେ ବେସରକାରୀ ଭାବେ ଏ ସଂଖ୍ୟା ଆହୁରି ଅଧିକ ବୋଲି ସ୍ଥାନୀୟ ଲୋକ କହୁଛନ୍ତି । ସମଗ୍ର ପଶ୍ଚିମ ଓଡିଶାରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଚିକିତ୍ସାଧୀନ ଅଛନ୍ତି । ସମ୍ବଲପୁରରେ ୮, ଝାରସୁଗୁଡାରେ ୭, ବଲାଙ୍ଗୀରରେ ୬ ଜଣ, ବରଗଡ଼ରେ ଜଣେ ଏବଂ ଅନ୍ୟ ସ୍ଥାନରେ ୩ ଜଣଙ୍କର ମୃୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଝାରସୁଗୁଡା ଜୀବନ ହରାଇଥିବା ସମସ୍ତ ବ୍ୟକ୍ତି ଟ୍ରକ ଡ୍ରାଇଭର ।