ଦିନେ ବନ୍ଧୁକ ଧରି ଆଦିବାସୀଙ୍କ ଅଧିକାର ପାଇଁ ଜଙ୍ଗଲରେ କରୁଥିଲେ ଲଢେଇ, ଆଜି ରେବାନ୍ତଙ୍କ ସରକାରରେ ମନ୍ତ୍ରୀ ଭାବେ ନେଲେ ଶପଥ

2,655

କନକ ବ୍ୟୁରୋ : ଦନସାରୀ ଅନସୁୟା ସୀତାକ୍କା । ନାମ ଯେମିତି ଦମଦାର କାମ ବି ସେମିତି ଦମଦାର । ଲୋକମାନେ ତାଙ୍କୁ ସ୍ନେହଁରେ ସୀତାକ୍କା ବୋଲି ଡାକିଥାନ୍ତି । ଏବେ ସେ ତେଲେଙ୍ଗାନାର ରେବାନ୍ତ ରେଡ୍ଡୀଙ୍କ ସରକାରରେ ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ମୁଲୁଗା ଆସନରୁ ନିର୍ବାଚିତ ହୋଇଥିବା ସୀତାକ୍କା ଯେତେବେଳେ ଶପଥ ନେବାକୁ ମଞ୍ଚ ଉପରକୁ ଆସିଥିଲେ ସେତେବେଳେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଠିଆ ହୋଇ ତାଙ୍କୁ ଅଭିବାଦନ ଜଣାଇଥିଲେ । କାରଣ ତାଙ୍କ ଜୀବନ ଏକ ସିନେମାର କାହାଣୀ ଠାରୁ କିଛି କମ୍ ନୁହେଁ ।

ମାଟ୍ରିକ ପର୍ଯ୍ୟନ୍ତ ପାଠ ପଢିଥିବା ସୀତାକ୍କା ୧୯୮୮ ମସିହାରେ ନକ୍ସଲ ଆନ୍ଦୋଳନ ସହ ଯୋଡି ହୋଇଯାଇଥିଲେ । ଏହାପରେ ଧିରେ ଧିରେ ସେ ନକ୍ସଲ ଆନ୍ଦୋଳନର କମାଣ୍ଡର ହୋଇଯାଇଥିଲେ    । ସେ ଏକା ନୁହଁନ୍ତି ଏହି ନକ୍ସଲ ଆନ୍ଦୋଳନରେ ସୀତାକ୍କାଙ୍କ ସ୍ୱାମୀ ଓ ଭାଇ ମଧ୍ୟ ଥିଲେ । ପୋଲିସ ସହ ଗୁଳି ବିନିମୟ ବେଳେ ସେମାନଙ୍କର ମୃତ୍ୟୁ ହୋଇଥିଲା । ହଠାତ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁଙ୍କ ସଂସ୍ପର୍ଶରେ ଆସିଥିଲେ ସୀତାକ୍କା । ଏହାପରେ ସେ ଚନ୍ଦ୍ରବାବୁ ନାଇଡୁଙ୍କ କଥାରେ ମୁଖ୍ୟ ଧାରାରେ ସାମିଲ ହୋଇଥିଲେ   ।

ଆତ୍ମସମର୍ପଣ କରିବା ପରେ ସୀତାକ୍କା ଜଙ୍ଗଲରେ ରହୁଥିବା ଆଦିବାସୀମାନଙ୍କ ବିକାଶ ପାଇଁ କାମ କରିବା ଆରମ୍ଭ କରିଦେଇଥିଲେ । ତେଣୁ ଧିରେ ଧିରେ ସେ ଆଦିବାସୀ ଅଞ୍ଚଳରେ ଲୋକପ୍ରିୟ ହୋଇପାରିଥିଲେ । ୨୦୦୯ ମସିହାରେ ଟିଡିପି ତାଙ୍କୁ ବିଧାନସଭା ଟିକେଟ ଦେଇଥିଲା । ସେ ମୁଲୁଗ ଆସନରୁ ପ୍ରଥମ ଥର ନିର୍ବାଚନ ଲଢି ବିଧାୟକ ଭାବେ ବିଧାନସଭାକୁ ଆସିଥିଲେ । ହେଲେ ଅବିଭକ୍ତ ଆନ୍ଧ୍ରପ୍ରଦେଶ ଭାଙ୍ଗି ଦୁଇଟି ରାଜ୍ୟ ହୋଇଥିଲା ଓ ମୁଲୁଗ ଆସନଟି ତେଲେଙ୍ଗାନା ରାଜ୍ୟରେ ପଡିଥିଲା । ଏହାପରେ ସୀତାକ୍କା ଟିଡିପି ଛାଡି ରେବାନ୍ତ ରେଡ୍ଡୀଙ୍କ ନେତୃତ୍ୱରେ କଂଗ୍ରେସରେ ଯୋଗ ଦେଇଥିଲେ ।

ଏଥର ନିର୍ବାଚନରେ ବିଜୟୀ ହୋଇ ସୀତାକ୍କା ହାଟ୍ରିକ କରିଛନ୍ତି । ଗୋଟିଏ ପଟେ ରେବାନ୍ତ ରେଡ୍ଡୀଙ୍କ ପରେ ମୁଖ୍ୟମନ୍ତ୍ରୀ ଦୌଡରେ ସୀତାକ୍କା ମଧ୍ୟ ଥିଲେ । ହେଲେ ଆଜି ସେ ତେଲେଙ୍ଗାନା କ୍ୟାବିନେଟର ଜଣେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସାର୍ବଜନୀକ ଜୀବନର ବ୍ୟସ୍ତତା ମଧ୍ୟରେ ସୀତାକ୍କା ପାଠ ପଢା ଛାଡିନାହାଁନ୍ତି । ସେ ୨୦୨୨ ରେ ଓସମାନିଆ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । ସୀତାକ୍କାଙ୍କ ପାଖରେ ମୋଟ ୮୨ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ।