ପିଏମ୍-ଉଷା ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ କରିବାରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଆଞ୍ଚଳିକ ବୈଷମ୍ୟ ଦୂର କରିବା ଦିଗରେ ହେବ ସହାୟକ

147

କନକ ବ୍ୟୁରୋ : ଓଡ଼ିଶାରେ ଉଚ୍ଚ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ପିଏମ୍-ଉଷା ଯୋଜନାକୁ କାର୍ଯ୍ୟକାରୀ କରିବା ତଥା ଏହି ଯୋଜନାର ଲାଭ ନେବା ପାଇଁ ନିରନ୍ତର ସମର୍ଥନ ଓ ସହଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା)କୁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ-ଉଷା) ନାମରେ ଶୁଭାରମ୍ଭ କରାଯାଇଛି । ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନକୁ ଜାରି ରଖିବା ପାଇଁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସୁଦ୍ଧା କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା ପିଏମ ଉଷାକୁ ଅନୁମୋଦନ ମିଳିଥିବା ବେଳେ ୧୨ ହଜାର ୯୨୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୂଆ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ସମୟରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ ଦିଗରେ ପିଏମ-ଉଷା କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନୂଆ ଶିକ୍ଷାନୁଷ୍ଠାନ ସ୍ଥାପନ କରିବା ଏବଂ ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡିକର ସାମଗ୍ରିକ ଉନ୍ନତି କରିବା ଏହି ଯୋଜନାର ଲକ୍ଷ୍ୟ ରହିଛି । ବିଶେଷ ଭାବରେ ଦୁର୍ଗମ, ଜନଜାତି ଅଧ୍ୟୁଷିତ, ମାଓ ପ୍ରଭାବିତ ଅଞ୍ଚଳରେ ଉଚ୍ଚତର ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି କରିବାର ଉଦ୍ଦେଶ୍ୟ ରହିଛି । ସେହିପରି ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଆଞ୍ଚଳିକ ବୈଷମ୍ୟ ଦୂର କରିବା ଦିଗରେ ଏହି ଯୋଜନା ସହାୟକ ହେବ ।

ପିଏମ ଉଷା ଯୋଜନାକୁ କ୍ରିୟାନ୍ୱୟନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ଏମଓୟୁ କରିବା ଦରକାର । ଏମଓୟୁରେ ପିଏମ ଉଷାର ସଠିକ୍ ଯୋଜନା, କାର୍ଯ୍ୟକାରିତା ଏବଂ ତଦାରଖ ସମ୍ପର୍କିତ ବିବରଣୀ ପ୍ରଦାନ କରାଯାଇଛି । ରୁସାର ପୂର୍ବ ପର୍ଯ୍ୟାୟରେ ଓଡ଼ିଶା ସକ୍ରିୟ ଅଂଶଗ୍ରହଣ କରି ରାଜ୍ୟରେ ଉଚ୍ଚଶିକ୍ଷାର ଉନ୍ନତି ପାଇଁ ଯୋଜନା ଅନ୍ତର୍ଗତ ଆସିଥିବା ଆର୍ଥିକ ସହାୟତାକୁ ଉପଯୋଗ କରିବାରେ ସଫଳ ହୋଇଛି । ତେବେ ପିଏମ ଉଷାର ନୂତନ ପର୍ଯ୍ୟାୟରେ ଓଡ଼ିଶା ଏ ପର୍ଯ୍ୟନ୍ତ ଏମଓୟୁ ସ୍ୱାକ୍ଷର କରିନାହିଁ । ଏହି ଯୋଜନାରେ ଅନୁଦାନ ପାଇବା ପାଇଁ ପ୍ରସ୍ତାବ ଗୁଡିକର ଦାଖଲ ପ୍ରକ୍ରିୟା ଗତ ବର୍ଷ ଅକ୍ଟୋବର ୨୧ ତାରିଖରୁ ଆରମ୍ଭ ହୋଇସାରିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପିଏମ ଉଷା ଯୋଜନାର କ୍ରିୟାନ୍ୱୟନ ପାଇଁ ସହଯୋଗ ଏବଂ ନିରନ୍ତର ସମର୍ଥନ ଦେବା ପାଇଁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହି ଯୋଜନାର ଲାଭ ନେବାରେ ଓଡ଼ିଶା ଯେପରି ବଞ୍ଚିତ ନ ହେବ, ସେଥିପାଇଁ ତୁରନ୍ତ ଏହା ଉପରେ ଧ୍ୟାନ ଦେବା ପାଇଁ ସେ ପତ୍ରରେ ଉଲ୍ଲେଖ କରିଛନ୍ତି ।