ସାନିଆଙ୍କ ସହ ବିବାହ ବିଛେଦ ଚର୍ଚ୍ଚା ଭିତରେ ପୁଣି ଥରେ ବିବାହ କଲେ ସୋଏବ ମଲ୍ଲିକ । ପାକ୍ ଅଭିନେତ୍ରୀ ସନା ଜାଭେଦଙ୍କ ଧରିଲେ ହାତ

709

କନକ ବ୍ୟୁରୋ : ପୂର୍ବତନ ଟେନିସ ତାରକା ସାନିଆ ମୀର୍ଜା ଓ ତାଙ୍କ ପାକିସ୍ତାନୀ ସ୍ୱାମୀ ସୋଏବ ମଲ୍ଲିକଙ୍କ ମଧ୍ୟରେ ବିବାହ ବିଛେଦ ଚର୍ଚ୍ଚା ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପୁଣି ଥରେ ବିବାହ କରିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସାଏବ ମଲ୍ଲିକ । ସୋଏବ ପାକିସ୍ତାନର ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଛନ୍ତି । ସୋଏବ ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ବିବାହ ବାବଦରେ ସ୍ପଷ୍ଟ କରିଛନ୍ତି । ଏବଂ ସନାଙ୍କ ସହ ଫଟୋ ସାର୍ବଜନୀନ କରିଛନ୍ତି । ସନା ମଧ୍ୟ ନିଜ ଆକାଉଂଟ ଜରିଆରେ ପରୋକ୍ଷରେ ଏହାର ଇସାରା ଦେଇଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟର ନାଁ ସାନା ସୋଏବ ମଲ୍ଲିକ କରିଦେଇଛନ୍ତି । ସୋଏବ ମଲ୍ଲିକଙ୍କ ଏହା ତୃତୀୟ ବିବାହ । ପ୍ରଥମେ ସେ ଆୟେଶା ସିଦ୍ଦିକିଙ୍କୁ ବିବାହ କରିଥିଲେ । ଏହାପରେ ଆୟେଶାଙ୍କୁ ଛାଡ଼ପତ୍ର ଦେଇ ସାନିଆ ମୀର୍ଜାଙ୍କୁ ବିବାହ କରିଥିଲେ ।

ଦୁଇ ଦିନ ତଳେ ସାନିଆ ମୀର୍ଜା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ଉଭୟ ବିବାହ କରିବା ଏବଂ ଛାଡପତ୍ର ଦେବା କଷ୍ଟକର । ଏହାପରେ ପୁଣିଥରେ ସୋଏବ ଏବଂ ସାନିଆଙ୍କ ମଧ୍ୟରେ କିଛି ଠିକଠାକ ଚାଲିନଥିବା ଅନୁମାନ କରାଯାଉଥିଲା । ୨୦୧୦ ମସିହା ଏପ୍ରିଲ ୧୨ରେ ହାଇଦ୍ରାବାଦର ଝିଅ ସାନିଆ ମୀର୍ଜାଙ୍କୁ ସାଏବ ମଲ୍ଲିକ ବିବାହ କରିଥିଲେ । କେବଳ ଭାରତ କିମ୍ବା ପାକିସ୍ତାନରେ ନୁହେଁ, ସେତେବେଳେ ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଥିଲେ । ୨୦୧୮ରେ ଉଭୟ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଏହାପରେ ଉଭୟ ଦୁବାଇରେ ରହୁଥିଲେ । କିନ୍ତୁ କୋଭିଡ ସମୟରେ ଉଭୟ ଅଲଗା ରହୁଥିବାର ଖବର ଆସିଥିଲା । ଯାହା ଛାଡପତ୍ରର ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା । କିନ୍ତୁ ନିକଟରେ ଉଭୟ ସୋଏବ ଏବଂ ସୋନିଆ ଏକାଠି ହୋଇ ଏକ ଟିଭି କାର୍ଯ୍ୟକ୍ରମକୁ ହୋଷ୍ଟ କରୁଥିଲେ । ଆଶା କରାଯାଉଥିଲା ଯେ, ଉଭୟଙ୍କ ମଧ୍ୟରେ ସବୁ କିଛି ଠିକ୍ ଠାକ୍ ଚାଲିଛି । ହେଲେ ଏବେ ସୋଏବ ପୁଣି ଥରେ ବିବାହ କରିବା ପରେ ସାନିଆଙ୍କ ସହ ତାଙ୍କ ବିବାହ ବିଛେଦ ଚର୍ଚ୍ଚା ଆହୁରି ବଢ଼ିଛି ।