ଓଡ଼ିଶାରେ ପାଚୁଛି, ଆନ୍ଧ୍ରପଦେଶରେ ବିକ୍ରି ହେଉଛି। ବଜାର ବ୍ୟବସ୍ଥା ନଥିବାରୁ ରାୟଗଡ଼ାର ଲଙ୍କା ଯାଉଛି ଆନ୍ଧ୍ର।

151

କନକ ବ୍ୟୁରୋ: ଚର୍ଚ୍ଚାରେ ପି. ଗଣେଶଙ୍କ ଲଙ୍କା ଚାଷ । ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ପି. ଗଣେଶ ଦୀର୍ଘ ବର୍ଷ ହେଲା ରାୟଗଡ଼ା ଜିଲ୍ଲାର ଗୁଣୁପୁର ଓ ରାମନାଗୁଡ଼ା ଜିଲ୍ଲାରେ କପା ଚାଷ କରନ୍ତି । ଏଠାକାର ଜଳବାୟୁ ଲଙ୍କା ଚାଷ ପାଇଁ ଉତକୃଷ୍ଟ ଥିବା ଜାଣି ୫ ବର୍ଷ ହେଲା ଲଙ୍କା ଚାଷ କରୁଛନ୍ତି । ଆନ୍ଧ୍ରରୁ ‘ଆରମୋର’ ପ୍ରଜାତିର ବିହନ ଆଣି ୫ ଏକର ଜମିରେ ଲଗାଇଛନ୍ତି ଲଙ୍କା । ଚାଷୀ ଜଣଙ୍କ ୧ ଏକର ଲଙ୍କା ଚାଷ ପାଇଁ ୮୦ ହଜାର ଟଙ୍କା ବିନିଯୋଗ କରି ୨୦ କ୍ୱିଂଟାଲରୁ ଉଦ୍ଧ୍ୱର୍ ଲଙ୍କା ଉତ୍ପାଦନ କରୁଛନ୍ତି । ଉତ୍ପାଦିତ ଲଙ୍କାକୁ କ୍ୱିଂଟାଲ ପିଛା ୨୦ ହଜାର ଟଙ୍କାରେ ବିକ୍ରି କରି ଲାଭବାନ ହେଉଛନ୍ତି । ସ୍ଥାନୀୟ ଅଞ୍ଚଳରେ ବଜାର ବ୍ୟବସ୍ଥାର ସୁବିଧା ନଥିବାରୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛନ୍ତି । ଅନ୍ୟପଟେ ଆନ୍ଧ୍ର ଚାଷୀଙ୍କ କ୍ଷେତରେ ସ୍ଥାନୀୟ ଲୋକ କାମ କରି କିଛି ରୋଜଗାର କରୁଥିବାରୁ ଖୁସି ପ୍ରକାଶ କରିଛନ୍ତି ।

ପୂର୍ବରୁ ଗୁଣୁପୁର ତଥା ଆଖପାଖ ଅଞ୍ଚଳର ବ୍ୟବସାୟୀ ମାନ ଆନ୍ଧ୍ରରୁ ଆସୁଥିବା ଲଙ୍କା ଉପରେ ନିର୍ଭର କରନ୍ତି । ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଲଙ୍କା ବିକ୍ରି କରିବା ପାଇଁ ଯୁବ ଚାଷୀଙ୍କୁ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି । ଯଦି ବଜାରୀକରଣ ପାଇଁ ସ୍ଥାନୀୟ ଅଞ୍ଚଳରେ ସୁବିଧା ସୁଯୋଗ ସୃଷ୍ଟି ହୁଅନ୍ତା ପି. ଗଣେଶଙ୍କ ସହିତ ଅନ୍ୟ ଚାଷୀମାନେ ମଧ୍ୟ ଉପକୃତ ହୋଇପାରନ୍ତେ । କେବଳ ପାରମ୍ପରିକ ଚାଷ ନୁହେଁ ନୂଆ ନୂଆ ଚାଷ ଆପଣାଇ ଜଣେ ଚାଷୀ ସ୍ୱାବଲମ୍ବୀ ହୋଇପାରିବ ବୋଲି ପ୍ରମାଣିତ କରିଛନ୍ତି ଯୁବଚାଷୀ ପି.ଗଣେଶ ।