ମହିଳା କରୁଛନ୍ତି ମୁଗ ଚାଷ। ବସ୍ତା ମୁକୁଳସି ଗାଁରେ ଜମି ଲିଜରେ ନେଇ ଲାଭବାନ ହେଉଛନ୍ତି ୨୦ ମହିଳା।

147

କନକ ବ୍ୟୁରୋ: ଧାନ, ବିରି, ମୁଗ, ମାଣ୍ଡିଆ ଆଦି ପ୍ରମୁଖ ଚାଷ କରିଥାଆନ୍ତି ଚାଷୀ ଭାଇ । କିନ୍ତୁ ଏବେ ଯୁଗ ବଦଳିଯାଇଛି । ମହିଳାମାନେ ମଧ୍ୟ ଏହି ଚାଷ କ୍ଷେତ୍ରରେ ପାଦ ଦେଇଛନ୍ତି । ନିଜକୁ ପୁରୁଷଠୁ କମ୍ ମନେନକରି ଧାନ ଓ ମୁଗ ଚାଷ କରୁଛନ୍ତି । ବାଲେଶ୍ୱର ବସ୍ତା ଅଞ୍ଚଳରେ ମହିଳା ମାନେ ମୁଗ ଚାଷ କରି ସଫଳତା ପାଇଛନ୍ତି । ମୁକୁଳୁସି ଗାଁର ୨୦ ଜଣ ମହିଳା ଏକାଠି ହୋଇ କରୁଛନ୍ତି ମୁଗ ଚାଷ । ରବି ଋତୁରେ ମୁଗ ଚାଷ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ବିଲରେ ପାଣି ମଡ଼ାଇବା, କୀଟନାଶକ ସିଞ୍ଚନ କରିବା, ମାଟିକୁ କୋଡ଼ାଖୋସା କରିବା ଭଳି ସମସ୍ତ କାମ କରନ୍ତି ମହିଳା । ଘର କାମ ସରିବା ପରେ ଅବସର ସମୟକୁ ଅପଚୟ ନକରି ମହିଳା ମାନେ ଚାଷ କାମକୁ ଆପଣାଇଛନ୍ତି । ଆଉ ପ୍ରମାଣିତ କରି ଦେଖାଇଛନ୍ତି ଏମାନେ କୌଣସି ପୁରୁଷ ମାନଙ୍କ ଠାରୁ ମଧ୍ୟ କମ୍ ନୁହଁନ୍ତି ।

ମୁକୁଳୁସି ଗାଁର ୨୦ ଜଣ ମହିଳା ଏକାଠି ପ୍ରଥମେ ଏସଏଚଜି ଗ୍ରୁପ୍ ଗଠନ କରିଥିଲେ । ମାସକୁ ୧୧୦ ଟଙ୍କା ଲେଖାଏଁ ବ୍ୟାଙ୍କରେ ସଞ୍ଚୟ କରି ସଞ୍ଚିତ ଅର୍ଥକୁ ଚାଷ କାମରେ ଲଗାଇଥିଲେ । ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ଲିଜ ସୁତ୍ରରେ ଜମି ଆଣି ସେମାନେ ବର୍ଷେ ହେଲା ପରିବା ଚାଷ କରୁଥିଲେ । ସେଥିରୁ ମିଳିଥିବା ଲାଭାଂଶରେ ଏବର୍ଷ ମୁଗ ଚାଷ କରିଛନ୍ତି । ଆଉ କିଛି ଲୋକଙ୍କ ଠାରୁ ଦେଢ଼ ଏକର ଜମି ଲିଜ୍ ଆଣି ଅଧିକ ଚାଷ କରିଛନ୍ତି । ତେବେ ଏହି ମହିଳା ମାନଙ୍କୁ ଅନ୍ୟ ଚାଷୀଙ୍କ ଭଳି ପ୍ରୋତ୍ସାହନ ମିଳିଲେ ଏମାନେ ଉନ୍ନତ ପ୍ରଣାଳୀରେ ଚାଷ କାମ କରି ଆହୁରି ଉନ୍ନତି କରିପାରନ୍ତେ।