କମ୍ପୁଛି ଖଣ୍ଡଗିରି ଯାତ୍ରା ପେଣ୍ଡାଲ: ମଞ୍ଚରେ ଜଲୱା ଦେଖାଇଲେ ରାଣୀ ପଣ୍ଡା

719

କନକ ବ୍ୟୁରୋ: ଖଣ୍ଡଗିରି ଯାତ୍ରାରେ ପୁଣି ମଂଚ ଦୁଲକେଇଛନ୍ତି ରାଣୀ ପଣ୍ଡା । ଆଇଟମ ଗୀତରେ ପୁଣି ଝୁମିଛନ୍ତି ଦର୍ଶକ । ହେଲେ ମେଲୋଡିରେ ନୁହେଁ ନାଟକରେ ଦେଖିଲେ ରାଣୀ ପଣ୍ଡାଙ୍କ ଆଇଟମ ଡାନ୍ସ । ରାଣୀ ପଣ୍ଡାଙ୍କ ଜୀବନିକୁ ନେଇ ପ୍ରସ୍ତୁତ ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକ ଲଢିବ ରାଣୀ ପଣ୍ଡାର ନାଟକର ଏ ହେଉଛି ଦୃଶ୍ୟ । ଆଉ ନାଟକରେ ନିଜେ ରାଣୀ ପଣ୍ଡା ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଛନ୍ତି ।

କେବଳ ଡ୍ୟାନ୍ସ ନୁହେଁ ଚରିତ୍ର ଅଭିନୟରେ ଦର୍ଶକଙ୍କ ଆଖିରେ ଲୁହ ଆଣିଦେଇଥିଲେ ରାଣୀ ପଣ୍ଡା । ରାଣୀ ପଣ୍ଡାଙ୍କ ନାଚ ଓ ଅଭିନୟରେ ପ୍ରଥମଦିନ ହାଉସଫୁଲ ହେଲା ସ୍ୱର୍ଣ୍ଣମନ୍ଦିରର ଅନୁସନ୍ଧାନମୂଳକ ନାଟକ । ଯେଉଁ ଦର୍ଶକ ରାଣୀ ପଣ୍ଡାଙ୍କ ନାଚରେ ସିଟି ମାରୁଥିଲେ, ଏବେ ସେହି ଦର୍ଶକ ରାଣୀ ପଣ୍ଡାଙ୍କ ଚମକ୍ରାର ଅଭିନୟ ଦେଖି ତାଳି ମାରି ପ୍ରଶଂସା ମଧ୍ୟ କରିଛନ୍ତି ।

କଥା କଥାକେ ଦାମ୍ଭିକ ଠାଣି । ଚମକ୍ରାର ଶୈଳୀରେ ସଂଳାପ ଆବୃତି କରି ଦର୍ଶକଙ୍କ କରତାଳି ଆଦାୟ କରୁଥିବା ଏହି ଯାତ୍ରା କଳାକାର ହେଉଛନ୍ତି ରମାକାନ୍ତ ରାଉତ । ଯାତ୍ରା ସ୍ୱର୍ଣ୍ଣ ମନ୍ଦିରର ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକ ଲଢିବ ରାଣୀପଣ୍ଡା ନାଟକରେ ହିରୋ ଭୂମିକାରେ ତାଙ୍କ ଅଭିନୟ ମଧ୍ୟ ସମସ୍ତଙ୍କ ପସନ୍ଦକୁ ଆସିଛି ।

ଏଇ ଅଭିନୟ ନିଶା ଦିନେ ତାଙ୍କୁ କର୍ମମୟ ଜୀବନରୁ ମଂଚକୁ ଟାଣି ଆଣିଥିଲା । ପୋଲିସ ଚାକିରୀ ମାତ୍ରା ୨ ମାସରେ ଛାଡି ସେ ପଳେଇ ଆସିଥିଲେ ଯାତ୍ରାରେ ଅଭିନୟ ପାଇଁ । ହେଲେ ଏଥିପ୍ରତି ତାଙ୍କ କୌଣସି ଅନୁତାପ ନାହିଁ । କୁହନ୍ତି ଦର୍ଶକଙ୍କ ଭଲ ପାଇବା ତାଙ୍କର ଶ୍ରେଷ୍ଠ ପାଉଣା ।

ସେହିପରି ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକ ଲଢିବ ରାଣୀପଣ୍ଡା ନାଟକରେ ଅନ୍ୟତମ ଆକର୍ଷଣ ଥିଲେ ଖଳନାୟକ ସାଙ୍ଗା । ତାଙ୍କ ଦମଦାର ଡାଏଲଗ ଡେଲିଭରି ଓ ଉଚ୍ଚକୋଟୀର ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଛି ।

ଅତିତୀତରେ ଖଣ୍ଡଗିରି ଯାତ୍ରାରେ ରାଣୀ ପଣ୍ଡାଙ୍କ ଆଇଟମ ଡ୍ୟାନ୍ସକୁ ନେଇ ବଡ ବିବାଦ ଦେଖା ଦେଇଥିଲା । ତେଣୁ ଏଥର ଆଇଟମ ଡ୍ୟାନ୍ସ ନୁହେଁ ବଂର ନିଜର ଅଭିନୟର ଯାଦୁଗରୀ ଦେଖାଇବା ପାଇଁ ଚିନ୍ତା କରିଥିଲେ ରାଣୀ ପଣ୍ଡା । ଆଉ ତାଙ୍କ ନିଜ ଜୀବନୀକୁ ନେଇ ପ୍ରସ୍ତୁତ ନାଟକ ଦେଖିବା ପାଇଁ ଯାତ୍ରା ପ୍ରେମୀ ଓ ରାଣୀ ପଣ୍ଡାଙ୍କ ପ୍ରଶଂସକଙ୍କ ପ୍ରବଳ ଗହଳି ଜମିଥିଲା ।