ରାମାୟଣ ଧାରାବାହିକ ରାମଙ୍କ ମୁହଁରେ ରାମାୟଣ କଥା। ବାଣ୍ଟିଲେ ରାମକଥାର ଅନୁଭୂତି।

219

କନକ ବ୍ୟୁରୋ: ରାମାନନ୍ଦ ସାଗରଙ୍କ ପ୍ରଯୋଜିତ ଆଧାତ୍ମିକ ଧାରାବାହିକ ରାମାୟଣର ରାମ ଅରୁଣ ଗୋଭିଲ । ଯାହାଙ୍କୁ ଦେଖିଲେ ଆଜି ବି ଅନେକ ଲୋକ ତାଙ୍କୁ ପ୍ରଭୁ ଶ୍ରୀରାମ ବୋଲି ଭାବନ୍ତି । ଭଗବାନ ଶ୍ରୀରାମଙ୍କ ନାଁ ପଡିଲେ ତାଙ୍କ ହସ ହସ ମୁହଁ ଓ କଥା କହିବାର ଶୈଳୀ ଆଖି ଆଗରେ ଝଲସି ଉଠେ । ସେ ଓଡିଶା ଗସ୍ତରେ ଆସି ‘ସୁନୋ ଶ୍ରୀରାମ କାହାଣୀ’ କାର୍ଯ୍ୟକ୍ରମରେ ଭାଗ ନେବା ସହ ରାମାୟଣର ଅନୁଭୂତି ବାଣ୍ଟିଛନ୍ତି । କହିଛନ୍ତି, ରାମ ଥିଲେ ଧୌର୍ଯ୍ୟର, ଶାନ୍ତିର ପ୍ରତୀକ । ତେଣୁ ତାଙ୍କ ଚରିତ୍ରରେ ଅଭିନୟ କରିବା ସମୟରେ ସେମିତି ହେବାକୁ ବହୁତ ଚେଷ୍ଟା କରିଥିଲେ । କିନ୍ତୁ କେତେ ସଫଳ ହୋଇଛନ୍ତି ତାହା ତାଙ୍କ ସହ ମିଶୁଥିବା ଲୋକମାନେ କହିପାରିବେ ।

ଆଜିର ଦିନର ରାମାୟଣର କେତେ ଆବଶ୍ୟକତା ରହିଛି ସେ ନେଇ ପ୍ରତିକ୍ରିୟା ରଖି କହିଛନ୍ତି । ରାମାୟଣ ଆମ ପାଇଁ ବାଲ୍ମିକୀଙ୍କର ଏକ ବରଦାନ । ଭଲ ପରିବାର ପାଇଁ ରାମାୟଣଠାରୁ ଆଉ ଭଲ ଉଦାହରଣ କିଛି ନାହିଁ । ଜଣେ ଭାଇ କେମିତି ହେବା ଆବଶ୍ୟକ, ଜଣେ ଝିଅ କେମିତି ହେବା ଆବଶ୍ୟକ, ପୁଅ କେମିତି ହେବା ଆବଶ୍ୟକ ସବୁ ରାମାୟଣରେ ରହିଛି । ତେଣୁ ରାମାୟଣରୁ ବହୁତ କିଛି ଶିଖିବାର ଅଛି ।

ରାମାୟଣରେ ରାବଣ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦଙ୍କ ସହ ତାଙ୍କର କେତେ ଭଲ ସମ୍ପର୍କ ଥିଲା ତାହା ବଖାଣିଛନ୍ତି । ଏଥିସହ ଜଣଙ୍କୁ ଶାନ୍ତି ରହିବାକୁ ହେଲେ ପରିବାରରେ ଶାନ୍ତି ରହିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଅରୁଣ ଗୋଭିଲ ।

ଭୁବନେଶ୍ୱରରେ ‘ସୁନୋ ଶ୍ରୀରାମ କାହାଣୀ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଭକ୍ତଙ୍କ ସହ ନିଜର ଅନୁଭୂବ ବାଣ୍ଟିଛନ୍ତି । ଏହି କାର୍ଯ୍ୟକ୍ରମରେ ରାମାୟଣର ବିଭିନ୍ନ କଥାବସ୍ତୁକୁ ଅଭିନୟ, ସଂଗୀତ ଓ ଚରିତ୍ର ଚିତ୍ରଣ ମାଧ୍ୟମରେ ପ୍ରଦର୍ଶିତ କରାଯାଉଛି । ସୁନୋ ଶ୍ରୀରାମ କାହାଣୀ କାର୍ଯ୍ୟକ୍ରମ ନିଲମ ମେମୋରିଆଲ ଟ୍ରଷ୍ଟର ପକ୍ଷରୁ ଆୟେଜନ କରାଯାଇଛି ।