ସିନେମା ଓ ଗଣମାଧ୍ୟମ କ୍ଷେତ୍ରରେ ଦେଶରେ ଆଣିଥିଲେ ବିପ୍ଳବ । ଆଜି ଦୁନିଆରୁ ନେଇଗଲେ ବିଦାୟ, ବିଭିନ୍ନ ମହଲରୁ ଛୁଟୁଛି ଶୋକର ବାର୍ତ୍ତା

116

କନକ ବ୍ୟୁରୋ : ରାମୋଜୀ ରାଓଙ୍କୁ ଯେତିକି ଲୋକ ଜାଣିନାହାଁନ୍ତି ତାଠାରୁ ଅଧିକ ଲୋକ ରାମୋଜୀ ଫିଲ୍ମ ସିଟିକୁ ଜାଣିଛନ୍ତି । ସାରା ଭାରତରେ ଗଣମାଧ୍ୟମ ଓ ସିନେମା ଦୁନିଆରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ରାମୋଜୀ ରାଓ ଆଉ ଆମ ଗହଣରେ ନାହାଁନ୍ତି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଶନିବାର ଭୋର ୪ଟା ୫୦ ମିନିଟ୍ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମରଶରୀରକୁ ପ୍ରଥମେ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟିକୁ ଅଣାଯାଇଥିଲା ।

ରାମୋଜୀ ରାଓ ଭାରତରେ ଜଣେ ଅପ୍ରତିଦ୍ୱନ୍ଦୀ ଚେହେରା । ସେ ସିନେମା, ହେଉ କି ଗଣମାଧ୍ୟମ ବା କୃଷି ଓ ସାହିତ୍ୟ ସବୁ କ୍ଷେତ୍ରରେ ତାଙ୍କର ଦକ୍ଷତା ବେଶ୍ ବାରି ହୋଇପଡୁଥିଲା । ଏଥିପାଇଁ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ପଦ୍ମ ବିଭୂଷଣରେ’ ସମ୍ମାନୀତ କରାଯାଇଥିଲା । ସେପଟେ ବିଭିନ୍ନ କ୍ଷେତ୍ରରେ ତାଙ୍କର ଅବଦାନକୁ ଆଜି ଦେଶ ମନେପକାଉଛି । ଏହି କ୍ରମରେ ସାରା ଦେଶରେ ଆଜି ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି । ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ମଧ୍ୟ ରାମୋଜୀ ରାଓଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି ଶୋକ ବାର୍ତ୍ତା ପଠାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ରାମୋଜୀ ରାଓଙ୍କ ସହ ଏକ ସାକ୍ଷାତ ବେଳର ଫଟୋ ସହ ଶୋକ ବାର୍ତ୍ତା ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ରାମୋଜୀ ରାଓଙ୍କ ଦେହାନ୍ତ ମୋତେ ମର୍ମାହତ କରିଛି । ସେ ଅତ୍ୟନ୍ତ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ, ଭାରତୀୟ ଗଣମାଧ୍ୟମ ଜଗତରେ ସେ ବୈପ୍ଳବିକ ପରିବର୍ତନ ଆଣିଥିଲେ , ସାମ୍ବାଦିକତା ଓ ବିଶ୍ୱ ସିନେ ଜଗତ ପାଇଁ ତାଙ୍କ ଅବିସ୍ମରଣୀୟ ଅବଦାନ ରହିଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । ତାଙ୍କ ବିୟୋଗ ଦେଶପାଇଁ ଏକ ଅପୁରଣୀୟ କ୍ଷତି ଲେଖିôବା ସହ ରାମୋଜୀ ରାଓଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏକାଧିକ ଫଟୋ ଟ୍ୱିଟ୍ କରି ରାମୋଜୀ ରାଓଙ୍କୁ ମନେ ପକାଇଛନ୍ତି । ସେ ତାଙ୍କ ଶୋକବାର୍ତ୍ତାରେ ଲେଖିଛନ୍ତି କି, ଗଣମାଧ୍ୟମ କ୍ଷେତ୍ରରେ ଆଣିଥିବା ବୈପ୍ଳବିକ ପରିବର୍ତ୍ତନ ପାଇଁ ସେ ସବୁବେଳେ ଦେଶବାସୀଙ୍କ ମନେ ରହିବେ । ତାଙ୍କ ମୃତ୍ୟୁ ଯନ୍ତ୍ରଣାଦାୟକ ବୋଲି ଅମିତ ଶାହା ଉଲ୍ଲେଖ କରିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାମୋଜୀ ରାଓଙ୍କ ଦେହାନ୍ତକୁ ନେଇ ଦୁଃଖ ପ୍ରକାଶ କରିବା ସହ ଟ୍ୱିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି ଯେ, ରାମୋଜୀ ରାଓଙ୍କ ନିଧନ ଗଣମାଧ୍ୟମ ଓ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଏହାସହ ମୋର ସମବେଦନା ରାମୋଜୀ ରାଓଙ୍କ ପରିବାର ଓ ସଂପକୀୟଙ୍କ ପ୍ରତି ରହିଥିବା ସେ ଲେଖିଛନ୍ତି ।

ଓଡ଼ିଶାର ରାଜ୍ୟପାଳ ଥିବା ରଘୁବର ଦାସ ମଧ୍ୟ ରାମୋଜୀ ରାଓଙ୍କ ଦେହାନ୍ତକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି । ଏନେଇ ରଘୁବର ଦାସ କରିଥିବା ଟ୍ୱିଟରେ ଉଲ୍ଲେଖ କରିଛନ୍ତି କି, ଗଣମାଧ୍ୟମ ଓ ସିନେ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଶୋକ ବାର୍ତ୍ତା ଦେଇଛନ୍ତି । ସେ ଲେଖିଛନ୍ତି ତାଙ୍କର ଉତ୍ସର୍ଗୀକୃତ ଅବଦାନ ଗଣମାଧ୍ୟମ ଓ ସାମ୍ବାଦିକତାରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡି ଯାଇଛନ୍ତି । ତାଙ୍କର ସମ୍ପୂର୍ଣ୍ଣ ଜୀବନ ଏକ ପ୍ରେରଣାର ଉତ୍ସ ବୋଲି ସେ ଉଲ୍ଲେଖ କରିଛନ୍ତି ।


ଆଜି ସକାଳେ ତାଙ୍କର ଦେହାନ୍ତ ହେବା ପରେ ସକାଳୁ ତାଙ୍କ ପାର୍ଥିବ ଶରୀରକୁ ହାଇଦ୍ରାବାଦ ସ୍ଥିତ ଫିଲ୍ମ ସିଟିର ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ରାମୋଜୀ ଗ୍ରୁପରେ କାର୍ଯ୍ୟରତ ହଜାର ହଜାର କର୍ମଚାରୀ ଶେଷ ଦର୍ଶନ ପାଇଁ ସେଠାରେ ରୁଣ୍ଡ ହୋଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।