ନିର୍ବାଚନ ଫଳାଫଳ ପରେ ନବୀନ ପଟ୍ଟନାୟକଙ୍କ ପ୍ରଥମ ପ୍ରତିକ୍ରିୟା ,ଦୋହରାଇଲେ ଭିକେ ପାଣ୍ଡିଆନ ନୁହଁନ୍ତି ତାଙ୍କର ଉତରାଧିକାରୀ । ଚୟନ କରିବେ ଓଡ଼ିଶାବାସୀ

995

କନକବ୍ୟୁରୋ: ନବୀନଙ୍କ ଉତରାଧିକାରୀ ନୁହଁନ୍ତି ଭି.କେ ପାଣ୍ଡିଆନ୍ । ଆଜି ପୁଣି ଥରେ ନବୀନ ପଟ୍ଟନାୟକ ଏନେଇ ସ୍ପଷ୍ଟ କରିଛନ୍ତି । ତାଙ୍କ ଉତରାଧିକାରୀ କିଏ ହେବେ, ସେନେଇ ରାଜ୍ୟବାସୀ ନିଷ୍ପତି ନେବେ ବୋଲି ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ନବୀନ । ଏହା ସହ ବିଜେଡି ନେତା ଭି.କେ ପାଣ୍ଡିଆନ୍ଙ୍କୁ ନେଇ କରାଯାଉଥିବା ସମାଲୋଚନାକୁ ସେ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ପାଣ୍ଡିଆନ୍ ବିଜେଡିର କୌଣସି ପଦପଦବୀରେ ନାହାନ୍ତି ।

ନିର୍ବାଚନରେ ମଧ୍ୟ ପ୍ରତିନ୍ଦ୍ୱନ୍ଦିତା କରିନାହାନ୍ତି । ଦୁଇ ଦୁଇଟି ବାତ୍ୟା ଓ କରୋନା ସମୟରେ ସୁପରିଚାଳନା କରିଛନ୍ତି । ଏହା ଛଡ଼ା ତାଙ୍କ ନିଜ ସ୍ୱାସ୍ଥ୍ୟ ସମ୍ପର୍କୀୟ ସମସ୍ତ ଗୁଜବକୁ ସେ ଖଣ୍ଡନ କରିଛନ୍ତି । ନିର୍ବାଚନ ଫଳାଫଳ ପରେ ଜାତୀୟ ଗଣମାଧ୍ୟମକୁ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ନବୀନ ପଟ୍ଟନାୟକ । ତେବେ ଯେତେବେଳେ ପୁତୁରା ଅରୁଣ ପଟ୍ଟନାୟକ ନବୀନ ନିବାସ ଆସିଛନ୍ତି ବୋଲି ଚର୍ଚ୍ଚା ହେଉଛି, ସେହି ସମୟରେ ଉତରାଧିକାରୀ ନେଇ ଜାତୀୟ ଗଣମାଧ୍ୟମକୁ ନବୀନ ପ୍ରତିକ୍ରିୟା ଦେବା ନୂଆ ଚର୍ଚ୍ଚାକୁ ଖୋରାକୁ ଯୋଗାଇଛି । ଚର୍ଚ୍ଚା ହେଉଛି, ଅରୁଣ ପଟ୍ଟନାୟକ ଗତକାଲିଠାରୁ ଓଡ଼ିଶା ଆସିଛନ୍ତି । ବିଜେଡିର ବିପର୍ଯ୍ୟୟ ପରେ ନବୀନ ନିବାସ ଆସି ଦାଦାଙ୍କ ସହ ଆଲୋଚନା କରିଛନ୍ତି ।