ରାଜଧାନୀରେ ଥମୁନି ଲୁଟେରାଙ୍କ ଆତଙ୍କ । ଗଡ଼ ଶ୍ରୀରାମପୁର ଆପାର୍ଟମେଣ୍ଟ ଓ ଭୀମଟାଙ୍ଗିର ବନ୍ଦ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

91

କନକ ବ୍ୟୁରୋ: ପୁଣି ରାଜଧାନୀରେ ଆପାର୍ଟମେଣ୍ଟ ଲୁଟେରାଙ୍କ ଆତଙ୍କ । ଏଥର ସହର ଭିତରେ ନୁହେଁ, ଭୁବନେଶ୍ୱର ଉପକଣ୍ଠ ଗଡ ଶ୍ରୀରାମପୁରରେ ଥିବା ଏକ ଆପାର୍ଟମେଣ୍ଟରେ ଲୁଟ ହୋଇଛି । ମାତ୍ର କେଇ ଘଣ୍ଟାରେ ଆପାର୍ଟମେଣ୍ଟରେ କଳାକନା ବୁଲାଇ ଛୁ ମାରିଛନ୍ତି ଲୁଟେରା । ଗୋଟିଏ କିମ୍ବା ଦୁଇଟି ନୁହେଁ, ଚାରି ଚାରୋଟି ଫ୍ଲାଟରୁ ଏକକାଳୀନ ଲୁଟ ହୋଇଛି, ଯାହା ଅନ୍ତେବାସୀଙ୍କ ଛାତି ଥରାଇ ଦେଇଛି । ତାଲା ପଡିଥିବା ଘର ଗୁଡିକୁ ସଫ୍ଟ ଟାର୍ଗେଟ କରିଛନ୍ତି ଲୁଟେରା । ସମାନ ଷ୍ଟାଇଲରେ ଘରର ମୁଖ୍ୟ ଦ୍ୱାରର କବାଟ କାଟି ଘର ଭିତରେ ପଶିଛନ୍ତି । ବେଡରୁମର କପବୋର୍ଡ ଲକର ଭାଙ୍ଗି ସୁନା ,ରୁପା ଗହଣା ଓ ଦାମୀ ଜିନିଷ ନେଇ ଚମ୍ପଟ ମାରିଛନ୍ତି ଏହି ଲୁଟେରା ଗ୍ୟାଙ୍ଗ । ଆପାର୍ଟମେଣ୍ଟର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ଅନ୍ତେବାସୀ । ସାଇଣ୍ଟିଫିକ ଟିମ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

ସେପଟେ ଭିମଟାଙ୍ଗୀ ଫେଜ୍ ଟୁରେ ମାତିଛନ୍ତି ଝରକାତଡା ଗ୍ୟାଙ୍ଗ । କେଳୁଚରଣ ଲେନ ୫ରେ ଥିବା ଏକ ଘରେ ପଶି ସୁନା ଲୁଟି ଫେରାର ହୋଇଯାଇଛନ୍ତି ଲୁଟେରା । ଧ୍ରୁବ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ବେଡରୁମର ଝରକା ତାଡି ଘର ଭିତରେ ପଶିଛନ୍ତି । ଧ୍ରୁବ ପାତ୍ର ବେଙ୍ଗାଲୁରରେ ଥିବାବେଳେ ବେଡରୁମରେ ଥିବା ଲକରକୁ ଭାଙ୍ଗି ସୁନା ଗହଣା ସବୁ ସଫା କରି ଦେଇଛନ୍ତି ଲୁଟେରା ।
ତେବେ ବାରମ୍ବାର ଏଭଳି ଲୁଟ ଘଟଣା ରାଜଧାନୀବାସୀଙ୍କ ମନରେ ଏନେକ ପ୍ରଶ୍ନ ସୃଷ୍ଟି କରିଛି ।

  • କଡା ସୁରକ୍ଷା ଭିତରେ ଥିବା ଆପାର୍ଟମେଣ୍ଟ ଭିତରକୁ କେମିତି ପଶୁଛନ୍ତି ଲୁଟେରା ?
  • ଖାଲି ଫ୍ଲାଟର ତାଲିକା କେମିତି ପାଉଛନ୍ତି ଲୁଟେରା?
  • ସିସିଟିଭି ସତ୍ତେ୍ୱ କେମିତି କରୁଛନ୍ତି ଲୁଟ?
  • ସୁରକ୍ଷାଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କ ଦାୟିତ୍ୱ କଣ?