ଦିନକ ପରେ ମାଟ୍ରିକ ପରୀକ୍ଷା । ପିଲା ପ୍ରସ୍ତୁତ, ଏପଟେ ଲୋୟର ପିଏମଜିରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଧାରଣା ଜାରି । କେମିିତି ହେବ ମାଟ୍ରିକ ବୋର୍ଡ ପରୀକ୍ଷା ?

405

କନକ ବ୍ୟୁରୋ: ଦିନକ ପରେ ମାଟ୍ରିକ ପରୀକ୍ଷା । ଏପଟେ ସଡକରେ ବସିଛନ୍ତି ସାର୍ । ୩ଟି ଦାବି ନେଇ ୧୨ ଦିନ ହେଲା ଧାରଣାରେ ବସିଛି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ସୋମବାର ଆଲୋଚନା ପାଇଁ ସରକାର ଡାକିଛନ୍ତି । କିନ୍ତୁ ଦାବି ପୂରଣ ନହେଲେ ପରୀକ୍ଷା ଅସହଯୋଗ ପାଇଁ ଚେତାବନୀ ଦେଇଛି ସଂଘ । ଆଲୋଚନା ସକରାତ୍ମକ ନହେଲେ, ମାଟ୍ରିକ ପରୀକ୍ଷା ପରିଚାଳନାରୁ ଆରମ୍ଭ କରି ଖାତା ଦେଖାଯାଏଁ ବିଭ୍ରାଟ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

  • ୧୨ ଦିନରେ ଓଷ୍ଟାର ଆନ୍ଦୋଳନ
  • ଠିକ ଚାଲିବ ତ ମାଟ୍ରିକ ପରୀକ୍ଷା!

ରାଜଧାନୀର ରାଜରାସ୍ତାରେ ଶିକ୍ଷକଙ୍କ ଆନ୍ଦୋଳନ । ଖରାଶୀତକୁ ଖାତିର ନାହିଁ । ମୁଖ୍ୟତଃ ୩ଟି ଦାବି ନେଇ ଦିନରାତି ଗଣଧାରଣାରେ ବସିଛନ୍ତି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଓଷ୍ଟାର ଶିକ୍ଷକ । ଭୁବନେଶ୍ୱର ଲୋୟର ପିଏମଜିରେ ଏହି ଅହୋରାତ୍ର ଧାରଣ ଚାଲିଛି । ମଙ୍ଗଳବାର ୨୦ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଛି । ହେଲେ ଏପଟେ ରାଜଧାନୀରେ ଗଣଧାରଣାରେ ବସିଛନ୍ତି ଓଷ୍ଟାର ଶିକ୍ଷକ । ସୋମବାର ସମାଧାନର ସୁତ୍ର ନ ବାହାରିଲେ ଠିକ୍ ପରୀକ୍ଷା ପରିଚାଳନା ନେଇ ଆଶଙ୍କା ସୃଷ୍ଟି ହୋଇଛି । ବଡ ନିଷ୍ପତ୍ତି ନିଆଯିବ ବୋଲି ଚେତାବନୀ ଦେଇଛି ଓଷ୍ଟା ।
ପୂର୍ବରୁ ବି ଓଷ୍ଟାର ଶିକ୍ଷକ ଦାବି ପୂରଣ ପାଇଁ ଆନ୍ଦୋଳନ କରିଛନ୍ତି । ସମାଧାନ ପାଇଁ ସରକାର ପ୍ରତିଶ୍ରୃତି ବି ଦେଇଛନ୍ତି । କିନ୍ତୁ କିଛି ଫଳ ବାହାରି ନାହିଁ । ଓଷ୍ଟାର ପ୍ରମୁଖ ଦାବି ମଧ୍ୟରେ ରହିଛି…

  • ୨୩୪ଟି ଅନୁଦାନଯୋଗ୍ୟ ସ୍କୁଲକୁ ତୁରନ୍ତ ଅନୁଦାନ ପ୍ରଦାନ
  • ୬୨୫ ସ୍କୁଲକୁ ସପ୍ତମ ବେତନ କମିଶନ ହାରରେ ଦରମା
  • ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି

ଏସବୁ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଦାବି କରିଛି । ସେପଟେ ସୋମବାର ଦିନ ଆଲୋଚନା ପାଇଁ ଓଷ୍ଟାକୁ ଡାକିଛନ୍ତି ସରକାର । ଶିକ୍ଷକମାନେ ନିଜର ହକ୍ ପାଇଁ ଦୀର୍ଘଦିନ ଧରି ଆନ୍ଦୋଳନ କରୁଛନ୍ତି । କିନ୍ତୁ ସମାଧାନର ପନ୍ଥା ବାହାରୁନି ସୋମବାର ଆଲୋଚନାରୁ କଣ ନିଷ୍କର୍ସ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି ।