ରବିବାର ପାଲଟିଲା ଦୁର୍ଘଟଣାର ଦିନ । ରାଜ୍ୟର ବିଭିନ୍ନ ସ୍ଥାନରେ ୪ ମୃତ, ୪୦ରୁ ଅଧିକ ଆହତ

483

କନକ ବ୍ୟୁରୋ: ରବିବାର ପାଲଟିଲା ଦୁର୍ଘଟଣାର ଦିନ । କେଉଁଠି ସ୍କୁଟି ଉପରେ ଟ୍ରକ ଚଢି ଯାଇଛି ତ ଆଉ କେଉଁ ଓଲଟି ପଡିଛି ପିକଅପ୍ ଭ୍ୟାନ । ରାଜ୍ୟର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆଉ କିଛି ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

  • ଝିଅର ନିର୍ବନ୍ଧ ପାଇଁ ଯାଉଥିଲେ
  • ଓଲଟିଲା ପିକଅପ୍ ଭ୍ୟାନ୍

ହସଖୁସିରେ ଝିଅର ନିର୍ବନ୍ଧ ପାଇଁ ଯାଉଥିଲେ । ଅଧା ବାଟରେ ଦୁର୍ଘଟଣାଗସ୍ତ ହେଲା ଗାଡ଼ି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଘଲଘଳିଆଗୁଡ଼ା ଗ୍ରାମ ନିକଟରେ ଘଟିଛି ଏହି ଦୁର୍ଘଟଣା । ଝରିଗାଁ ବ୍ଲକ ଏକମ୍ବା ଗ୍ରାମରୁ ମୋଟ ୨୫ ଜଣ ଏକ ପିକଅପ୍ ଭ୍ୟାନରେ ବେଲଗାଁ ପଞ୍ଚାୟତର ମହଣ୍ଡି ଗ୍ରାମକୁ ନିର୍ବନ୍ଧ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ । ତେବେ ଘଲଘଳିଆଗୁଡ଼ା ଓ ମହଣ୍ଡି ଗ୍ରାମର ମଝି ରାସ୍ତାରେ ପିକଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଯଦିଓ କେହି ମୃତାହତ ହୋଇନାହାନ୍ତି, କିନ୍ତୁ ୨୦ରୁ ଅଧିକ ଆହତ ହୋଇଛନ୍ତି । ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଆହତଙ୍କ ଚିକିତ୍ସା ଚାଲିଛି ।

ସେହିପରି ଆସ୍କାରେ ଓଲଟିଲା କନ୍ୟାକୁ ଛାଡ଼ି ଫେରୁଥିବା ଟ୍ରକ । ଅଳ୍ପକେ ବର୍ତିଛନ୍ତି ଟ୍ରକରେ ଥିବା ୧୦୦ରୁ ଅଧିକ ଯାତ୍ରୀ । ଧରାକୋଟ ବ୍ଲକ ଲଟାପଲ୍ଲୀ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୫ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛି । ସେପଟେ ଆହତ ଓ ଗୁରୁତରଙ୍କୁ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି ।

ସେପଟେ ଗଞ୍ଜାମ ଆସିକା କୋଟିନଡା ଥାନା ଡିପଲ ସ୍କୁଲ ନିକଟରେ ବସ-ସ୍କୁଟି ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଘୋଷାଣୀ ନୂଆଗାଁ ଅଞ୍ଚଳର କୁନାଲ ସାହୁ ଓ କେ.ରାକେଶ । ପୋଲିସ ମୃତଦେହ ଜବତ କରିବା ସହ ବସକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସେହିପରି ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ଟ୍ରକ୍ ସହ ଟାଭେରା ଧକ୍କା ହେବାରୁ ୧୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ସୋର ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ଜଣେ ବାଲେଶ୍ୱର ସ୍ଥାନାନ୍ତରିତ ହୋଇଛନ୍ତି ।

ତେବେ ଦିନକରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ନେଇଛି ୪ ଜୀବନ । ସେହିପରି ୪୦ରୁ ଅଧିକ ଆହତ ହୋଇଛନ୍ତି । ବାରମ୍ବାର ସଚେତନ ସତ୍ୱେ ଏଭଳି ଦୁର୍ଘଟଣା ସଡ଼କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଛି ।