ଆଇପିଏଲରେ ଲକ୍ଷ୍ନୌ ନାଟକୀୟ ବିଜୟ : ପାୱାର ଦେଖାଇଲେ ନିକୋଲାସ୍ ପୂରନ; ଶେଷ ବଲରେ ବାଙ୍ଗାଲୋରକୁ ହରାଇଲା ଦଳ

363

କନକ ବ୍ୟୁରୋ : ଛକାପଞ୍ଝା ମ୍ୟାଚରେ ବାଜି ମାରିଲା ଲକ୍ଷ୍ନୌ ସୁପର ଜାଏଂଟସ୍ । ହୃଦ୍ ସ୍ପଦନ ବଢାଇ ଦେଇଥିବା ହାଇଭୋଲଟେଜ୍ ମ୍ୟାଚର ଶେଷ ବଲରେ ହେଲା ଫଇସଲା । ଆଉ ଆରସିବିକୁ ଗୋଟିଏ ୱିକେଟ୍ରେ ହରାଇଲା ଲକ୍ଷ୍ନୌ । ନିକୋଲାସ୍ ପୂରନଙ୍କ ଝଡ଼ ଆଗରେ ଫିକା ପଡିଲା ବିରାଟ କୋହଲୀ, ଡୁ ପ୍ଲେସିସ୍ ଓ ମାସ୍କୱେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ । ୨୧୨ ରନ୍ ସ୍କୋର କରି ବି ପରାଜୟରୁ ବର୍ତ୍ତି ପାରିଲାନି ଆରସିବି ।

ପୂରନ ଓ ମାର୍କସ୍ ଷ୍ଟୋଇନିସଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ବିଜୟୀ ହୋଇଛି ଲକ୍ଷ୍ନୌ । ୨୧୩ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଲକ୍ଷ୍ନୌର ଆରମ୍ଭ ନିରାଶା ଜନକ ଥିଲା । ଖାତା ନଖୋଲି ପ୍ୟାଭିଲିୟନ୍ ଫେରିଥିଲେ କାଇଲ ମେୟର୍ସ । କୃଣାଲ ପାଣ୍ଡ୍ୟା ବି ଖାତା ଖୋଲିପାରିନଥିଲେ । ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ ଦୀପକ ହୁଡ୍ଡା । ୨୩ ରନ୍ ଭିତରେ ୩ ୱିକେଟ୍ ହରାଇଥିଲା ଦଳ । ସ୍ଥିତି ସମ୍ଭାଳିଥିଲେ ଅଧିନାୟକ ରାହୁଲ ଓ ମାର୍କସ୍ ଷ୍ଟୋଇନିସ୍ । ବିସ୍ଫୋରକ ଅର୍ଦ୍ଧଶତକ କରି ଆଉଟ୍ ହୋଇଥିଲେ ଷ୍ଟୋଇନିସ୍ ।

ଲାଗୁଥିଲା ଆରସିବି ବିଜୟ ହାସଲ କରିବ । ହେଲେ ପୂରନ୍ କ୍ରିଜକୁ ଆସିବା ମାତ୍ରେ ମ୍ୟାଚର ଗତି ବଦଳି ଯାଇଥିଲା । ଧୂଆଁଧାର ବ୍ୟାଟିଂ କରି ମାତ୍ର ୧୫ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ୬୨ ରନ୍ର ଇନିଂସ ଖେଳିକୁ ଦଳକୁ ବିଜୟ ଦ୍ୱାର ଦେଶରେ ପହଞ୍ଚାଇଥିଲେ । ଶେଷ ବଲରେ ବିଜୟୀ ହୋଇଥିଲା ଲକ୍ଷ୍ନୌ । ଆରସିବି ପକ୍ଷରୁ ଡୁ ପ୍ଲେସିସ୍ ୭୯, କୋହଲୀ ୬୧ ଓ ମାକ୍ସୱେଲ ୫୯ ରନ୍ କରିଥିଲେ ।