ନାଗାଲାଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା: କୋହିମାରେ ରାହୁଲଙ୍କ ଜନସଭା, ମଂଚରୁ ମୋଦୀଙ୍କୁ କଲେ ଟାର୍ଗେଟ

61

କନକ ବ୍ୟୁରୋ: ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ଆରମ୍ଭ ହୋଇଥିବା ଭାରତ ଯୋଡ଼ ନ୍ୟାୟଯାତ୍ରା ୧୬ ତାରିଖରେ ତୃତୀୟ ଦିନରେ ପହଁଚିଛି । ଦଳୀୟକର୍ମୀ, ନେତାଙ୍କୁ ନେଇ ରାହୁଲ ମଙ୍ଗଳବାର କୋହିମାରେ ପହଁଚିଛନ୍ତି । ଏଠାରେ ପହଁଚିବାପରେ ସ୍ଥାନୀୟ ଲୋକଙ୍କୁ ଭେଟି ଅଭିବାଦନ ଗ୍ରହଣ କରିଛନ୍ତି ରାହୁଲ । କୋହିମାର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ରାହୁଲଙ୍କୁ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି । ଖେଳାଳୀଙ୍କ ଗହଣରେ ଷ୍ଟାଡିୟମରେ କିଛି ସମୟ ଅତିବାହିତ କରିଥିଲେ ରାହୁଲ । ସଭାକୁ ସମ୍ବୋଧିତ କଂଗ୍ରେସ ସାଂସଦ କହିଛନ୍ତି ବିଚାରଧାରାର ଲଢେଇକୁ ନେଇ ଭାରତ ଯୋଡ ନ୍ୟାୟଯାତ୍ରା ଆରମ୍ଭ କରିଛି ଦଳ ।

ଯାତ୍ରା ସମୟରେ ନାଗାଲାଣ୍ଡର ପାରମ୍ପାରିକ ପୋଷାକରେ କଂଗ୍ରେସ ସାଂସଦଙ୍କୁ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ସହ ସେଲଫି ଉଠାଇଥିଲେ ରାହୁଲ । ସେପଟେ ଯୁଦ୍ଧ ସ୍ମାରକୀରେ ପହଁଚି ସହିଦ ଯବାନଙ୍କୁ ସେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପ୍ରସଙ୍ଗ ଉଠାଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ । ପ୍ରାଣପ୍ରତିଷ୍ଠା ବିଜେପିର ଏକ ନିର୍ବାଚନୀ ରଣନୀତି । ଭୋଟବ୍ୟାଙ୍କ ପାଇଁ ଏକ ପ୍ରହସନ । ତେଣୁ ଆରଏସଏସ ଓ ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମକୁ କଂଗ୍ରେସ ବୟକଟ କରିଥିବା ରାହୁଲ କହିଛନ୍ତି ।

ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଲୋକସଭା ନିର୍ବାଚନ ପ୍ରସଙ୍ଗ ଉଠାଇ ରାହୁଲ କହିଛନ୍ତି ଖୁବ ଶିଘ୍ର ଆସନ ଭାଗବଂଟା ଶେଷ ହେବ । ମେଂଟ ମଧ୍ୟରେ କୌଣସି ସମସ୍ୟା ନାହିଁ । ତେବେ କିଛି ରାଜ୍ୟରେ ଆସନ ଭାଗବଂଟାକୁ ନେଇ ସମସ୍ୟା ଥିବା ସ୍ୱିକାର କରିଛନ୍ତି କଂଗ୍ରେସ ସାଂସଦ ।

ଭାରତ ଯୋଡ ଯାତ୍ରାର ୨ୟ ସଂସ୍କରଣ ଭାବେ କଂଗ୍ରେସ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ କରିଛି । ପ୍ରାୟ ଦୁଇମାସ ଧରି ଚାଲିଥିବା ଯାତ୍ରାରେ ରାହୁଲ ୬ହଜାର ୭ଶହ କିଲୋମିଟର ପଦଯାତ୍ରା କରିବେ । ଶହ ଶହ କର୍ମୀ, ସମର୍ଥକ ଓ ନେତାଙ୍କୁ ନେଇ ମଣିପୁରରୁ କଂଗ୍ରେସ ଆରମ୍ଭ କରିଥିବା ଭାରତ ଯୋଡ ନ୍ୟାୟ ଯାତ୍ରା ମୁମ୍ବାଇରେ ସରିବ ।