ଆପର ସୁନ୍ଦରାକାଣ୍ଡ ଓ ହନୁମାନ ଚାଳିଶା ପାଠ, ବିଜେପି, କଂଗ୍ରେସ, ଏଆଇଏମଆଇଏମର କଟାକ୍ଷ: କହିଲେ ବିଜେପି ଆରଏସଏସ ରାସ୍ତାରେ ଚାଲୁଛି ଆମ ଆଦମୀ ପାର୍ଟି, ଭୋଟ ପାଇଁ ଚାଲିଛି ପ୍ରହସନ

157

କନକ ବ୍ୟୁରୋ: ଅଯୋଧ୍ୟା ରାମଲାଲା ପ୍ରାଣପ୍ରତିଷ୍ଠାର ସେହି ଶୁଭ ସମୟ ଆସିବାକୁ ଯାଉଛି । ଏହା ପୂର୍ବରୁ ଦିଲ୍ଲୀ ସରକାର ବଡ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଦିଲ୍ଲୀର ମୋଟ ୨୬ଶହ ସ୍ଥାନରେ ୧୬ ତାରିଖଠୁ ସୁନ୍ଦରକାଣ୍ଡ ଓ ହନୁମାନ ଚାଳିଶା ପାଠ କରିଛି ଆମ ଆଦମୀ ପାର୍ଟି । ପ୍ରଥମ ଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ସୌରଭ ଭରଦ୍ୱାଜ ହନୁମାନ ମନ୍ଦିରରେ ପହଁଚି ସୁନ୍ଦରାକାଣ୍ଡ ଓ ହନୁମାନ ଚାଳିସା ପାଠ କରିଛନ୍ତି ।

ଆମ ଆଦମୀ ପାର୍ଟିର କାଯ୍ୟକ୍ରମକୁ ନେଇ ରାଜନୀତି ଆରମ୍ଭ ହୋଇଛି । ବିଜେପି,କଂଗ୍ରେସ ଓ ଏଆଇଏଆଇଏମ ଶାଣିତ ଢ଼ଙ୍ଗରେ ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରିଛନ୍ତି । ବିଜେପି କହିଛି ନିର୍ବାଚନ ଆସୁଥିବା ଯୋଗୁଁ ଆପକୁ ରାମଙ୍କ କଥା ମନେ ପଡିଛି । ଏଆଇଏମଆଇଏମ ମୁଖ୍ୟ ଅସଉଦ୍ଧିନ ଓୱେସୀ କହିଛନ୍ତି ବିଜେପି ଓ ଆରଏସଏସ ଏବଂ ଆପ ମଧ୍ୟରେ କୌଣସି ଫରକ ନାହିଁ । ସେପଟେ କଂଗ୍ରେସ ମଧ୍ୟ ଆପକୁ କଟାକ୍ଷ କରିଛି ।

ମିଳିଥିବା ସୂଚନା ଅନୁସାରେ–
-ପ୍ରତିମାସର ପ୍ରଥମ ମଙ୍ଗଳବାର କାର୍ଯ୍ୟକ୍ରମର ଆୟୋଜନ କରାଯିବ
-ସୁନ୍ଦରାକାଣ୍ଡ ଓ ହନୁମାନ ଚାଳିଶା ପାଠ କରିବ ଆପ୍
-ମୋଟ ୨୬ଶହ ସ୍ଥାନରେ କାର୍ଯ୍ୟକ୍ରମ କରାଯିବ

ଆମ ଆଦମୀ ପାର୍ଟି କହିଛି ପ୍ରଭୁ ଶ୍ରୀରାମ କୌଣସି ଜଣେ ବ୍ୟକ୍ତି କିମ୍ବା ଦଳର ନୁହେଁ । ତେଣୁ ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ । ଆମ ଆଦମୀ ପାର୍ଟି ମୁଖିଆ ଅରବିନ୍ଦ କେଜ୍ରିୱାଲ ରାମଙ୍କ ଜଣେ ପରମଭକ୍ତ ଅଟନ୍ତି ଓ ପ୍ରାଣପ୍ରତିଷ୍ଠା ଉତ୍ସବରେ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ପାଇଁ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।