ଇଣ୍ଡିଆ ମେଂଟ ଉପରେ ନିର୍ବାଚନ ଫଳାଫଳର ସାଇଡ ଇଫେକ୍ଟ । ସ୍ଥଗିତ ରହିଲା ମେଂଟର ଦିଲ୍ଲୀ ବୈଠକ

153

କନକ ବ୍ୟୁରୋ : ଚକିତ କରିଛି ୫ ରାଜ୍ୟର ବିଧାନସଭା ଫଳାଫଳ । ୩ରାଜ୍ୟରେ ବିଜେପି ଓ ଗୋଟିଏ ରାଜ୍ୟରେ କଂଗ୍ରେସ ଅକ୍ତିଆର କରିବା ପରେ ଜାତୀୟ ରାଜନୀତିରେ ଓଲଟପାଲଟ ହୋଇଛି ପୂର୍ବ ସମୀକରଣ । ଯେଉଁ ଇଣ୍ଡିଆ ମେଂଟ ମୋଦୀ ଲହରକୁ ରୋକିବା ପାଇଁ ଗଠନ ହୋଇଥିଲା ତା ଉପରେ ପଡିଛି ନିର୍ବାଚନ ଫଳାଫଳର ବଡ ପ୍ରଭାବ । କୁହାଯାଉଛି ଫଳାଫଳର ସାଇଡ ଇଫେକ୍ଟରେ ମେଂଟରେ ଥିବା ଫାଟ ପୁଣି ବଢ଼ିଯାଇଛି । ଡିସେମ୍ବର ୬ରେ ଦିଲ୍ଲୀରେ ମେଂଠ ବୈଠକ ଆୟୋଜନ ହୋଇଥିଲେ ବି ଆସିବା ମନା କରି ଦେଇଥିଲେ କିଛି ଦଳର ମୁଖ୍ୟ । ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ପରେ ସମାଜବାର୍ଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପରେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୈଠକରେ ଯୋଗ ଦେବାକୁ ମନା କରିଥିବା ସୂଚନା ମିଳିଛି । ତିନି ତିନୋଟି ବଡ ଚେହେରା ମନା କରିବା ପରେ ବୈଠକ ରଦ୍ଦ କରାଯାଇଛି ।

୫ରାଜ୍ୟ ନିର୍ବାଚନ ପୂର୍ବରୁ ବିହାର, ବେଙ୍ଗାଲୁରୁ ଓ ମୁମ୍ବାଇରେ ଇଣ୍ଡିଆ ମେଂଟର ବୈଠକ ବସିଥିଲା । ଯେଉଁଥିରେ ଟଣାଓଟରା ମଧ୍ୟ ଦେଖିବାକୁ ମିଳିଥିଲା । ବୈଠକରେ କିଏ ଯୋଗ ଦେଇନଥିଲେ ତ ପୁଣି କିଏ ସାମିଲ ହୋଇ ମଧ୍ୟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ମେଂଟରେ ଫାଟ ଥିବା ସ୍ପଷ୍ଟ ବାରି ହୋଇପଡିଥିଲା ।

ନିକଟରେ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଥିଲେ ନୀତିଶ କୁମାର । ପ୍ରଚାରରେ ବ୍ୟସ୍ତ ରହି କଂଗ୍ରେସ ମେଂଟକୁ ସମୟ ଦେଉନଥିବା ସେ ଅଭିଯୋଗ ଆଣିଥିଲେ । ସେପଟେ ଟିଏମସି ନିଜ ମୁଖପାତ୍ର ଜାଗୋ ବାଙ୍ଗଲାରେ କଂଗ୍ରେସକୁ ଟାର୍ଗେଟ କରିଛି । ଦଳ କହିଛି କଂଗ୍ରେସର ବିଚାରଧାରା ଯୋଗୁଁ ୪ରାଜ୍ୟରେ ନିର୍ବାଚନ ପରାଜୟ ପାଇଛି । ଏହାର ପ୍ରଭାବ ଇଣ୍ଡିଆ ମେଂଟ ଉପରେ ପଡିବ ।

କେବଳ ମମତା, ନୀତୀଶ, ଅଖିଳେଶ ନୁହଁନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ମେଂଟ ବୈଠକରେ ଯୋଗ ଦେବେନି ବୋଲି ସୂଚନା ମିଳୁଛି । ଏଠି ପ୍ରଶ୍ନ ଉଠୁଛି ମେଂଟର ସ୍ଥିତି ଯଦି ଏଭଳି ରୁହେ ତେବେ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବିରୋଧୀଙ୍କ ଏକତାର ମେଂଟ କୁହାଯାଉଥିବା ଇଣ୍ଡିଆ ତିଷ୍ଟି ପାରିବ ତ ?