ସାମ୍ବାଦିକଙ୍କୁ ସ୍କୁଲ ମନା ପ୍ରସଙ୍ଗ: ସ୍ପଷ୍ଟିକରଣ ରଖିଲେ ଗଣଶିକ୍ଷାମନ୍ତ୍ରୀ। ବରିଷ୍ଠ ସାମ୍ବାଦିକ, ବିଭିନ୍ନ ଦଳର ନେତା ରଖିଲେ ପ୍ରତିକ୍ରିୟା।

354

କନକ ବ୍ୟୁରୋ: ସାମ୍ବାଦିକଙ୍କୁ ସ୍କୁଲ ମନା । ଆଉ ସ୍କୁଲ ଭିତରେ ସାମ୍ବାଦିକମାନେ ପଶିପାରିବେ ନାହିଁ । ଆଉ ଏଭଳି ଏକ ଅଜବ ନିଷ୍ପତି ନେଇଛନ୍ତି ସରକାର । ଫଳରେ ସ୍କୁଲ ଭିତରେ କଣ ଚାଲିଛି, ପାଠପଢା ଚାଲିଛି କି ନାହିଁ, ଶିକ୍ଷକ ଅଛନ୍ତି କି ନାହାନ୍ତି,ପିଲାଙ୍କୁ ଖାଇବାକୁ ମିଳୁଛି କି ନାହିଁ, କେଉଁ ପରିବେଶରେ ପାଠପଢା ଚାଲିଛି ଏମିତି ଅନେକ ପ୍ରଶ୍ନର ଆଉ ଉତ୍ତର ମିଳିବନାହିଁ । ଆଉ ସବୁ ଦିନ ପାଇଁ ସରକାର ଏହି ସବୁ ପ୍ରଶ୍ନର ଉତ୍ତର ଉପରେ ତାଲା ଲଗାଇଦେଇଛନ୍ତି ।

କୁଆଡେ କିଛି ଗଣମାଧ୍ୟମର ପ୍ରତିନିଧି ସ୍କୁଲରେ ପଶି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ କିଛି ଅବାନ୍ତର ପ୍ରଶ୍ନ ପଚାରିଥିଲେ ଏବଂ ଏହାକୁ ଟିଭି ଓ ସୋସିଆଲ ମିଡିଆରେ ଛାଡିଦେଇଥିଲେ । କିନ୍ତୁ ଏହି ଗଣମାଧ୍ୟମର ଦାୟିତ୍ୱହୀନ ନିଷ୍ପତି ପାଇଁ ସରକାର ଯେ ଆଉ ଏକ ଅଗଣତାନ୍ତ୍ରିକ ନିଷ୍ପତି ନେଇଯିବେ କେହି କେବେ କଳ୍ପନା କରିନଥିଲେ ।

ଏଭଳି ଏକ ନିଷ୍ପତିକୁ ଠିକ ବୋଲି ଦର୍ଶାଇବାକୁଯାଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି ସ୍କୁଲରେ ଯଦି କିଛି ତୃଟି ବିଚ୍ୟୁତି ଅଛି ତାହା ଜାଣିବା ପାଇଁ ସରକାର ପାଖରେ ବ୍ୟବସ୍ଥା ରହିଛି । ସେପଟେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି – ସ୍କୁଲ ଏକ ସାର୍ବଜନୀନ ସ୍ଥାନ । ଏହି ସ୍ଥାନକୁ କାହାକୁ ବାରଣ କରାଯାଇପାରିବ ନାହିଁ । ଗଣତନ୍ତ୍ର ଶାସନରେ ସାମ୍ବାଦିକଙ୍କୁ ସ୍କୁଲକୁ ବାରଣ କରିବା ଉଚିତ ନୁହେଁ ।

କଂଗ୍ରେସ ନେତା ତଥା ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ କହିଛନ୍ତି ।ଲୋକସେବା ଭବନ, ବିଧାନସଭା, ଡାକ୍ତରଖାନାରେ ସାମ୍ବାଦିକଙ୍କୁ କଟକଣା ପରେ ଏବେ ସ୍କୁଲରେ ବି ସରକାର କଟକଣା ଲଗାଇଲେଣି । ୫ ଥରର ସରକାର ମିଡିଆର ମୂୂଳକୁ ଟାଇଟ୍ କରୁଛନ୍ତି ।

ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର କହିଛନ୍ତି, ସାମ୍ବାଦିକତା ନାଁ ରେ ଅନେକ ବିନା ଅନୁମତିରେ ବହୁ ସ୍କୁଲକୁ ପଶି ସୁଟିଂ କରୁଛନ୍ତି । ସେମାନଙ୍କୁ ରେଗୁଲେଟ କରିବାର ଆବଶ୍ୟକତା ରହିଛି । ସେହିଭଳି ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଛନ୍ତି, ପୂର୍ବରୁ ଅନେକବାର ସାମ୍ବାଦିକ ଅନ୍ୟାୟର ପ୍ରତିବାଦ କରୁଥିଲେ, ତେଣୁ ସାମ୍ବାଦିକଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇଛି । ଏବେ ଯୋଜନାବଦ୍ଧ ଭାବରେ ମିଡିଆର ପାଟି ଚୁପ କରାଯାଉଛି ।

ଭୁବନେଶ୍ୱର ସାଂସଦ ତଥା ପୂର୍ବତନ ଗଣଶିକ୍ଷା ସଚିବ ଅପରାଜିତା ଷଡଙ୍ଗୀ କହିଛନ୍ତି, ସରକାର ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରନ୍ତୁ । ସାମ୍ବାଦିକଙ୍କୁ ସ୍କୁଲକୁ ଯିବାକୁ ନଦେବା ହାସ୍ୟାସ୍ପଦ ଘଟଣା । ସାମ୍ବାଦିକଙ୍କ କର୍ତ୍ତବ୍ୟ ହେଉଛି ସରକାର ଦୋଷ ଦୁର୍ବଳତାକୁ ଲୋକଲୋକଚନକୁ ଆଣିବା ।

ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ଗଣମାଧ୍ୟମ ଉପରେ ଗୋଟିଏ ପରେ ଗୋଟିଏ ରୋକ ଲଗାଇବା ନିନ୍ଦନୀୟ ଘଟଣା । ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ଚାପିବା ପାଇଁ ଗଣମାଧ୍ୟମ ଉପରେ ଏପରି ପଦକ୍ଷେପ ନିଆଯାଉଛି । କୋରାପୁଟ ସାଂସଦ ସପ୍ତଗିରି ଉଲାକା କହିଛନ୍ତି ଫାଇଭ ଟି ରୂପାନ୍ତରିତ ସ୍କୁଲର ଗୁମର ଫିଟିଯିବ ବୋଲି ଏପରି ବାରଣ ଲଗାଇଛନ୍ତି ସରକାର । ସରକାର ଏମିତି କେତେ ଅଫିସକୁ ସାମ୍ବାଦିକଙ୍କୁ ବାରଣ କରିବେ । ସବୁଠି ଦୁର୍ନୀତି ଲୁଚି ରହିଛି ।