ହନୁମାନ ଚାଳିଶା ପଢିବା ଯଦି ଦେଶଦ୍ରୋହ, ତେବେ ଆମେ ସମସ୍ତେ ଦେଶଦ୍ରୋହୀ । ସାହସ ଅଛି ତ ଗିରଫ କରି ଦେଖାଅ, ଉଦ୍ଧବ ସରକାରଙ୍କୁ ଦେବେନ୍ଦ୍ରଙ୍କ ଚେତାବନୀ ।

206

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଲାଉଡସ୍ପିକର ବିବାଦ ଉଗ୍ର ହେଉଥିବା ବେଳେ ସରକାର ଓ ବିରୋଧୀ ଏବେ ମୁହାଁମୁହିଁ ସ୍ଥିତିରେ । ଏପିରିକି ଏହି ମାମଲାର ସମାଧାନ ପାଇଁ ଉଦ୍ଧବ ଠାକରେଙ୍କ ସରକାର ଏକ ସର୍ବଦଳୀୟ ବୈଠକ ଡାକିଥିଲେ । କିନ୍ତୁ ପ୍ରଥମରୁ ବିଜେପି ଏହି ବୈଠକକୁ ବହିଷ୍କାର କରିଥିଲା । ତେବେ ସର୍ବଦଳୀୟ ବୈଠକ ପରେ ଶିବସେନା ସରକାରରେ ମନ୍ତ୍ରୀ ଥିବା ଆଦିତ୍ୟ ଠାକରେ କହିଛନ୍ତି ଏହି ମୁଦ୍ଦାକୁ ରାଜନୀତିକରଣ କରାଯାଉଛି । କେନ୍ଦ୍ର ସରକାର ଏହା ଉପରେ ଆଇନ ଆଣିବାର ଆବଶ୍ୟକତା ରହିଛି । ଆଉ ଏସବୁ ଭିତରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନବୀଶ ସରକାରଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି, ଯଦି ହନୁମାନ ଚାଳିଶା ପଢିବା ଦେଶଦ୍ରୋହ ଓ ରାଜଦ୍ରୋହ ତେବେ ଆମେ ସମସ୍ତେ ଦେଶଦ୍ରୋହୀ । କାରଣ ଆମେ ବି ସମସ୍ତେ ହନୁମାନ ଚାଳିଶା ପଢୁଛୁ । ଯଦି ସରକାରଙ୍କର ସାହସ ଅଛି ତେବେ ସମସ୍ତଙ୍କୁ ଗିରଫ କରି ଦେଖାନ୍ତୁ ।

ସର୍ବଦଳୀୟ ବୈଠକକୁ ନେଇ ଦେବେନ୍ଦ୍ର ଫଡନବୀଶ କହିଛନ୍ତି, ଏହି ବୈଠକର କୌଣସି ଆବଶ୍ୟକତା ମଧ୍ୟ ନଥିଲା । କାରଣ ଉକ୍ତ ବୈଠକରେ ଖୋଦ୍ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅନୁପସ୍ଥିତ ଥିଲେ । ଯଦି କେହି ହିଟଲର ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି ତେବେ ତାଙ୍କ ସହ କଥାବାର୍ତ୍ତା ବଦଳରେ ଲଢେଇ କରିବା ଆବଶ୍ୟକ । ସାଂସଦ ନବନୀତ ରାଣା ଓ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ଗିରଫ କରିବା ପଛରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ହାତ ରହିଛି । କାରଣ ଉଦ୍ଧବ ଠାକରେଙ୍କ ଘର ସାମ୍ନାରେ ହନୁମାନ ଚାଳିଶା ପାଠ ପଢିବାକୁ ଘୋଷଣା କରିଥିଲେ ନବନୀତ ।

ସେହିଭଳି ଏହି ବୈଠକରେ ଏମଏନଏସର ମୁଖ୍ୟ ରାଜ ଠାକରେଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯାଇଥିଲା । କିନ୍ତୁ ସେ ମଧ୍ୟ ଏହି ସର୍ବଦଳୀୟ ବୈଠକରେ ସାମିଲ ହୋଇନଥିଲେ । ଏହି ବିବାଦର ଆରମ୍ଭ ରାଜ ଠାକରେଙ୍କ ବୟାନରୁ ହିଁ ଆରମ୍ଭ ହୋଇଥିଲା । ଗତମାସରେ ହୋଇଥିବା ଏକ ରାଲିରେ ରାଜ ଠାକରେ ଚେତାବନୀ ଦେବା ସହ କହିଥିଲେ ଯଦି ମସଜିଦରୁ ଲାଉଡସ୍ପିକର ହଟାନଯାଏ ତେବେ ସବୁ ମସଜିଦ୍ ସାମ୍ନାରେ ବସି ହନୁମାନ ଚାଳିଶା ପଢିବୁ । ଆଉ ଏହି ବୟାନ ପରେ ଲାଉଡସ୍ପିକର ବିବାଦ ଜନ୍ମ ନେଇଥିଲା ।