ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ବିଜେପି ପାଇଛି ୭ ହଜାର କୋଟିର ନିର୍ବାଚନୀ ଚାନ୍ଦା । ଜାଣନ୍ତୁ ଅନ୍ୟରାଜନୈତିକ ଦଳମାନଙ୍କୁ ମିଳିଛି କେତେ

190

କନକ ବ୍ୟୁରୋ : ଇଲେକ୍ଟୋରାଲ ବଣ୍ଡ ସାର୍ବଜନୀନ ହୋଇଛି । ଏଥିରୁ ମିଳିଥିବା ସୂଚନା ମୁତାବକ ଏକାକୀ ବିଜେପିକୁ ୬,୯୮୬.୫ କୋଟି ଚାନ୍ଦା ମିିଳିଛି । କେବଳ ୨୦୧୯-୨୦ ଆର୍ଥିକ ବର୍ଷରେ ବିଜେପିକୁ ସର୍ବାଧିକ ୨,୫୫୫ କୋଟି ଟଙ୍କାର ଚାନ୍ଦା ମିଳିଛି । ନିର୍ବାଚନ ଆୟୋଗ ମୁତାବକ ଏହି ସୂଚନା ସାମ୍ନାକୁ ଆସିଛି । ଏହି କ୍ରମରେ କଂଗ୍ରେସ ନିର୍ବାଚନୀ ବଣ୍ଡ ମାଧ୍ୟମରେ ୧,୩୩୪.୩୫ କୋଟି ଟଙ୍କା ଚାନ୍ଦା ମିଳିଥିବା ବେଳେ ବିଜେଡିକୁ ୯୪୪.୫ କୋଟି ଟଙ୍କା ଚାନ୍ଦା ମିଳିଛି । ସେହିଭଳି ୱାଇଏସଆର କଂଗ୍ରେସକୁ ୪୪୨.୮ କୋଟି, ଟିଡିପିକୁ ୧୮୧.୩୫ କୋଟି ଟଙ୍କା ଚାନ୍ଦା ମିଳିଛି ।

ନିର୍ବାଚନ କମିଶନଙ୍କ ତଥ୍ୟ ମୁତାବକ ନିର୍ବାଚନୀ ବଣ୍ଡ ମାଧ୍ୟମରେ ଡିଏମକେ ୬୫୬.୫ କୋଟି ଟଙ୍କା ଚାନ୍ଦା ନେଇଥିବା ବେଳେ ଟିଏମସି ୧,୩୯୭ କୋଟି ଓ ବିଆରଏସ ୧,୩୨୨ କୋଟି ଟଙ୍କା ଚାନ୍ଦା ନେଇଛି । ସେହିଭଳି ସମାଜବାଦୀ ପାର୍ଟି ୧୪.୦୫ କୋଟି, ଅକାଳୀଦଳ ୭.୨୬ କୋଟି, ଏଆଇଏଡିଏମକେ ୬.୦୫ କୋଟି, ନ୍ୟାସନାଲ କନଫରେନ୍ସ ୫୦ ଲକ୍ଷ ଚାନ୍ଦା ନେଇଛି ।

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ନିର୍ବାଚନ କମିଶନ ନୂଆ ତଥ୍ୟ ରବିବାର ଦିନ ସାର୍ବଜନୀନ କରିଛି । ଏହି ଡାଟା ନିର୍ବାଚନ ଆୟୋଗ ସିଲବନ୍ଦ ଲଫାଫାରେ ସୁପ୍ରିମକୋର୍ଟରେ ଡିପୋଜିଟ୍ କରିଛି ।