କୋରାପୁଟ କୁନ୍ଦୁରାରେ ପୋଲ ତଳକୁ ଖସିଲା କନ୍ୟାଯାତ୍ରୀ ଗାଡି । ୨ ମୃତ, ୩୦ରୁ ଅଧିକ ଆହତ । ୬ ଗୁରୁତରଙ୍କୁ କୋରାପୁଟ ସ୍ଥାନାନ୍ତର

166

କନକ ବ୍ୟୁରୋ: ହସଖୁସିରେ ବିବାହ ସମାରୋହରେ ସାମିଲ ହେବାକୁ ଯାଉଥିଲେ କନ୍ୟାପକ୍ଷ । କିନ୍ତୁ ଏହି ଖୁସି ଲୁହରେ ପରିଣତ ହୋଇଯାଇଥିଲା । କିଛି ସମୟ ପରେ ହଠାତ୍ ପୋଲ ତଳକୁ ଖସିଲା ଗାଡ଼ି । କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ୍ ଖଟଣାପଦରରେ ଘଟିଛି ଏପରି ଅଭାବନୀୟ ଘଟଣା ।

  • ପୋଲରୁ ଖସିଲା କନ୍ୟାଯାତ୍ରୀ ଗାଡ଼ି
  • ୨ ମୃତ, ୩୦ରୁ ଅଧିକ ଆହତ

ଏହି ଭୟଙ୍କର ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କୁନ୍ଦୁରା ଓ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ୬ ଗୁରୁତର ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି ।

କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ଧୋଲପୁରରୁ ପାଖାପାଖି ୪୦ ଯାତ୍ରୀଙ୍କୁ ନେଇ ଯାଉଥିଲା ଏକ ୪୦୭ ଗାଡ଼ି । ଆଉ ୩୦ କିଲୋମିଟର ପରେ ବିବାହ ସମାରୋହରେ ସାମିଲ ହୋଇଥାନ୍ତେ । ତେବେ ଖଟଲାପଦର ପାଖରେ ଗାଡ଼ିଟି ଭାରସାମ୍ୟ ହରାଇ ବ୍ରିଜ୍ ଦଳକୁ ଖସି ପଡ଼ିଥିଲା । ଗାଡ଼ିରେ ଅଧିକ ମହିଳା ଓ ଛୁଆ ଥିଲେ । ଆହତ ଯାତ୍ରୀଙ୍କ କହିବା ଅନୁସାରେ, ଡ୍ରାଇଭରଙ୍କ ଭୁଲ ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଗାଡିଟି ଦ୍ରୁତ ଗତିରେ ଥିଲା । ବାଙ୍କ ମୋଡି ପୋଲ ଉପରେ ଯିବା ବେଳେ ଭାରସ୍ୟାମ ହରାଇ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣା ଘଟିବା ପରେ ଡ୍ରାଇଭର ଫେରାର ହୋଇଯାଇଛି ।

ବଡ଼ କଥା ହେଉଛି, ଯେଉଁଠି ଗାଡ଼ିଟି ଖସିଲା, ଟିକିଏ ଆଗରେ ନଦୀ ଥିଲା । ଯଦି ଗାଡ଼ିଟି ସେହି ନଦୀ ଭିତରକୁ ଖସିପଡ଼ିଥାନ୍ତା, ତାହେଲେ ସ୍ଥିତି ଆହୁରି ସଙ୍ଗୀନ ହୋଇଥାନ୍ତା ।