ଦେଶରେ ବିଭିନ୍ନ ନେତାଙ୍କୁ ଗିରଫ କରିବା ପରେ ଏବେ ଏହି ମାମଲାରେ ପାକିସ୍ତାନରେ ପହଂଚିଲା ଇଡି । ଜାଣନ୍ତୁ କାହାସହ ଜଡିତ ରହିଛି ମାମଲା

122

କନକ ବ୍ୟୁରୋ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦେଶର ବିଭିନ୍ନ ରାଜ୍ୟରେ ଚଢାଉ କରି ଭିନ୍ନ ଭିନ୍ନ ନେତା ଓ ବ୍ୟବସାୟୀଙ୍କୁ ଗିରଫ କରିବା ପରେ ଏବେ ଅର୍ଥ ହେରଫେର ମାମଲାରେ ଇଡି ପାକିସ୍ତାନରେ ପହଂଚିଛି । ଅର୍ଥ ହେରଫେର ମାମଲାରେ ଶ୍ରୀନଗର କୁପୱାଡାରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ତାଙ୍କୁ ୧୩ ଦିନିଆ ରିମାଣ୍ଡରେ ନେଇଛି ।

ଇଡି ତରଫରୁ ଫେବୃଆରୀ ୬ ତାରିଖରେ କୁପୱାଡାର ମହମ୍ମଦ ଅବ୍ଦୁଲ୍ଲା ଶାହାଙ୍କୁ ଅର୍ଥ ହେରଫେର ମାମଲାରେ ଗିରଫ କରିଥିଲା । ଅବ୍ଦୁଲ୍ଲା ଶାହା ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଉଥିବା ପାକିସ୍ତାନୀ ହେଣ୍ଡଲର ମଞ୍ଜୁର ଅହମ୍ମଦଙ୍କ ସହ ଜଡିତ ଥିବା ଅଭିଯୋଗ ହୋଇଛି । ଇଡି ତରଫରୁ ଏକ୍ସରେ ଏକ ପୋଷ୍ଟ କରାଯାଇଛି । ଏହି ପୋଷ୍ଟ ମୁତାବକ ଅବ୍ଦୁଲ୍ଲା ଶାହା ଯାହାଙ୍କ ପାଖରେ ଜାମ୍ମୁ-କାଶ୍ମୀରର ଛାତ୍ରଙ୍କ ପାଇଁ ପାକିସ୍ତାନ କଲେଜରେ ଏମବିବି ପାଠ୍ୟକ୍ରମରେ ଆଡମିଶନ କରିବାର ସୁଯୋଗ ରହିଛି । ସେ ଏହାର ଦୂରୋପଯୋଗ କରିଛନ୍ତି ।

ଯାଂଚ ଏଜେନ୍ସି ଇଡି ମୁତାବକ ଗିରଫ ହୋଇଥିବା ମହମ୍ମଦ ଅବ୍ଦୁଲ୍ଲା ଶାହାଙ୍କର ପାକିସ୍ତାନର ଆତଙ୍କବାଦୀ ମଞ୍ଜୁର ଅହମ୍ମଦଙ୍କ ସହ ମଜବୁତ ସଂପର୍କ ରହିଛି । ସୂଚନା ମୁତାବକ ଜାମ୍ମୁ-କାଶ୍ମୀରରେ ରହୁଥିବା ଅନେକ ଶିକ୍ଷିତ ଯୁବକଙ୍କୁ ପାକିସ୍ତାନରେ ଥିବା ମେଡିକାଲ କଲେଜରେ ଆଡମିଶନ କରିବାର ଲୋଭ ଦେଖାଉଥିଲା ମଞ୍ଜୁର । ଏହି ମାମଲା ସଂପର୍କରେ ଜମ୍ମୁର ସ୍ଥାନୀୟ ପୋଲିସକୁ ସୂଚନା ମିଳିଥିଲା । ଏହାପରେ ଉଭୟ ଅବ୍ଦୁଲ୍ଲା ଶାହା ଓ ମଞ୍ଜୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ଏହି ମାମଲାରେ ଯାଂଚ ବେଳେ ଅଲ-ଜବର ନାମରେ ଏକ ଟ୍ରଷ୍ଟର ମଧ୍ୟ ଖୁଲାସା ହୋଇଛି । ଯାହାଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ କୋଟି କୋଟି ଟଙ୍କା କାରବାର ହୋଇଛି । ଏବେ ଇଡି ପାକିସ୍ତାନରେ ପହଂଚି ଏହି ବେଆଇନ ଅର୍ଥ କାରବାର ଉପରେ ଯାଂଚ କରୁଛି ।