ରାଜ୍ୟ ବଜେଟରେ କୃଷି କ୍ଷେତ୍ରକୁ ଗୁରୁତ୍ୱ । ୨୮, ୯୪୪ କୋଟି ଟଙ୍କା ବ୍ୟୟ ବରାଦ କଲେ ଅର୍ଥମନ୍ତ୍ରୀ ।

197

କନକ ବ୍ୟୁରୋ: ରାଜ୍ୟ ବଜେଟରେ କୃଷି ଓ କୃଷକଙ୍କ କଲ୍ୟାଣ ଉପରେ ଗୁରୁତ୍ୱ । କୃଷିି ଓ ଆନୁଷଙ୍ଗିକ କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଜେଟରେ କୃଷି କ୍ଷେତ୍ର ପାଇଁ ୨୮ ହଜାର ୯୪୪ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଯାହାକି ପୂର୍ବ ବର୍ଷର ବ୍ୟୟ ବରାଦ ତୁଳନାରେ ୧୬.୬ ପ୍ରତିଶତ ଅଧିକ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ପଶୁ ସମ୍ପଦ ଓ ମତ୍ସ୍ୟ ଚାଷ କ୍ଷେତ୍ରରେ ଓଡିଶା ଚାଷୀଙ୍କ ଆୟ ବୃଦ୍ଧିରେ ପ୍ରମୁଖ ଭୂମିକା ନିର୍ବାହ କରୁଛି । ଏହି କ୍ଷେତ୍ରର ବିକାଶ ପାଇଁ ଏଥର ବଜେଟରେ ୧ ହଜାର ୯୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ଚାଷୀଙ୍କ ଉନ୍ନତି ପାଇଁ ସରକାର କାଳିଆ ଯୋଜନା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୮ ଲକ୍ଷ ୯୩ ହଜାର ଭୂମିହୀନ ଚାଷୀ ପରିବାରକୁ କାଳିଆ ଯୋଜନାରେ ସହାୟତା ଯୋଗାଇ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେହିପରି ଓଡିଶା ବର୍ତ୍ତମାନ ୧ ଶହ ବିଲିୟନ୍ ଡଲାରରୁ ଅଧିକ ଅର୍ଥନୀତିରେ ପରିଣତ ହେଇଛି । ୨୦୧୫-୧୬ ବର୍ଷଠାରୁ ରାଜ୍ୟର ହାରାହାରି ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି, ଯାହାକି ଜାତୀୟ ଅର୍ଥନୀତିର ହାରାହାରି ଅଭିବୃଦ୍ଧିଠାରୁ ୧ ପ୍ରତିଶତ ଅଧିକ ବୋଲି ଅର୍ଥମନ୍ତ୍ରୀ ବଜେଟ୍ ଆଗତ ବେଳେ ସୂଚନା ଦେଇଛନ୍ତି ।