ସୋରେନଙ୍କୁ ହାତକଡ଼ି, ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ଆସନ । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ

129

କନକ ବ୍ୟୁରୋ : କିଛି ଘଂଟା ମଧ୍ୟରେ ବଦଳିଯାଇଛି ଝାଡ଼ଖଣ୍ଡ ରାଜ୍ୟରାଜନୀତିର ମାନଚିତ୍ର । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ପରେ ଏବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଏଣିକି ଚମ୍ପାଇ ସୋରେନ । ଜେଏମଏମ ପକ୍ଷରୁ ତାଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଯିବା ପରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ସମସ୍ତ ରାସ୍ତା ସଫା ହୋଇଛି । ଜେଏମଏମର ସବୁଠୁ ବରିଷ୍ଠ ନେତା ହେଉଛନ୍ତି ଚମ୍ପଇ ସୋରେନ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମୁଖ୍ୟ ଶିବ ସୋରେନ ଓ ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ଦଳ ତାଙ୍କ ଉପରେ ବିଶ୍ୱାସ ପ୍ରକଟ କରିଥିବା କୁହାଯାଉଛି । ସେପଟେ ଚମ୍ପଇ ସୋରେନ କହିଛନ୍ତି ଝାଡ଼ଖଣ୍ଡର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କୁ ଯେଉଁ ଦାୟିତ୍ୱ ଦିଆଯିବ ତାକୁ ସେ ସୁଚରାରୂପେ ତୁଳାଇବେ ବୋଲି କହିଛନ୍ତି ।

ଆସନ୍ତୁ ଜାଣିବା କିଏ ଚମ୍ପଇ ସୋରେନ……
-ଝାଡ଼ଖଣ୍ଡ ସରକାରର ପରିବହନ ଓ ଏସସି-ଏସଟି ମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି
-ଜେଏମଏମର ଉପାଧ୍ୟକ୍ଷ ଦାୟିତ୍ୱରେ ଥିଲେ
-ଝାଡ଼ଖଣ୍ଡ ଆନ୍ଦୋଳନ ସମୟରେ ଶିବୁ ସୋରେନଙ୍କ ସହଯୋଗୀ ଥିଲେ
-ପ୍ରଥମେ ଷଢେଇକଳା ଆସନରୁ ସ୍ୱାଧୀନ ଭାବେ ଲଢି ଜିତିଥିଲେ
-ଏହାପରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ସାମିଲ ହୋଇଥିଲେ
-୨୦୦୫ରେ ପ୍ରଥମଥର ପାଇଁ ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିଲେ
-୨୦୦୯ରେ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ
-୨୦୧୦ରୁ ୨୦୧୩ ପର୍ଯନ୍ତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଶ୍ରମ, ଗୃହମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ।
-୨୦୧୩ରୁ ୨୦୧୪ ପର୍ଯ୍ୟନ୍ତ ଖାଦ୍ୟ ଏବଂ ନାଗରିକ ଯୋଗାଣ ମନ୍ତ୍ରୀ ଥିଲେ
-୨୦୧୪ରେ ତୃତୀୟ ଥର ପାଇଁ ଝାଡ଼ଖଣ୍ଡ ବିଧାନସଭାକୁ ମନୋନୀତ ହୋଇଥିଲେ
-୨୦୧୯ରେ ଚତୁର୍ଥ ଥର ପାଇଁ ବିଧାୟକ ହୋଇଥିଲେ ଚମ୍ପଇ
-ଅର୍ଜୁନ ମୁଣ୍ଡା ସରକାରରେ ଚମ୍ପଇ ସୋରେନ କ୍ୟାବିନେଟ ମନ୍ତ୍ରୀ ଥିଲେ
ଚମ୍ପାଇ ସୋରେନଙ୍କୁ ଝାଡ଼ଖଣ୍ଡ ଟାଇଗର କୁହାଯାଏ । କାରଣ ସ୍ୱତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟଗଠନ ଆନ୍ଦୋଳନରେ ଚମ୍ପାଇ ସୋରେନ ବଡ଼ ଭୂମିକା ତୁଳାଇଥିଲେ । ଜେଏମଏମ ପ୍ରତିଷ୍ଠାତା ଶିବୁ ସୋରେନଙ୍କ ସହ ମିଶି ବିଶାଳ ଆନ୍ଦୋଳନରେ ଭାଗ ନେଇଥିଲେ । ଝାଡ଼ଖଣ୍ଡ ସ୍ୱତନ୍ତ୍ର ରାଜ୍ୟ ହେବା ପରେ ଆନ୍ଦୋଳନର ଏହି ଚର୍ଚ୍ଚିତ ଚେହେରା ଝାଡ଼ଖଣ୍ଡ ଟାଇଗର ନାଁରେ ଜଣାଗଲେ । ଚମ୍ପାଇ ସୋରେନଙ୍କ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବାପରେ ତାଙ୍କ ଗାଁ ଓ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ପାରମ୍ପାରିକ ବାଦ୍ୟଯନ୍ତ୍ର ବଜାଇ, ମିଠା ଖୁଆଇ ଖୁସି ପାଳୁଛନ୍ତି ସମ୍ପର୍କୀୟ

ଏବେ ପ୍ରଶ୍ନ ଉଠୁଛି ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ମୁଖ୍ୟମନ୍ତ୍ରୀ ହେବା ନେଇ ଯେଉଁ ଚର୍ଚ୍ଚା କରାଯାଉଥିଲା ସେଥିରେ ପୂର୍ଣ୍ଣଛେଦ କାହିଁକି ପଡିଲା ? କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସ୍ୱତନ୍ତ୍ର ରଣନୀତି କରାଯାଇଥିଲେ ବି ଶେଷ ସମୟରେ ଫେଲ ମାରିଛି । କାରଣ ଚଳିତବର୍ଷ ଶେଷରେ ବିଧାନସଭା ନିର୍ବାଚନ । ଏପରି ସ୍ଥିତିରେ କଳ୍ପନା ପୁଣି ଉପନିର୍ବାଚନ ଜରିଆରେ ବିଧାୟକ ହେବା ସହଜ ନୁହେଁ । କିଛି ମାସ ପରେ ସାଧାରଣ ନିର୍ବାଚନ ଅଛି ତେଣୁ ନିର୍ବାଚନ କମିଶନଙ୍କ ଅନୁମତି ମଧ୍ୟ ମିଳିନପାରେ । କଳ୍ପନାଙ୍କ ପାଇଁ ଉପନିର୍ବାଚନ ଯଦି ହୁଏ ତେବେ ତାହା ବିଳମ୍ବ ମଧ୍ୟ ହୋଇପାରେ । ଏପରି ସ୍ଥିତିରେ ସାମ୍ବାଧାନିକ ସଙ୍କଟ ସୃଷ୍ଟି ଆଶଙ୍କା ରହିଛି । ଫଳରେ ଚମ୍ପଇଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତି ନିଆଯାଇଛି ।