ନିର୍ବାଚନୀ ବର୍ଷରେ ଅନ୍ତରୀଣ ବଜେଟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ । କାମଚଳା ବଜେଟରେ ୪୭ ଲକ୍ଷ ୬୬ ହଜାର କୋଟି ଟଙ୍କାର ବ୍ୟୟବରାଦ

117

କନକ ବ୍ୟୁରୋ : ୫୭ ମିନିଟର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଦେଇଛନ୍ତି । କହିଛନ୍ତି ଆମ ସରକାରଙ୍କ ୪ଟି ଜାତି । ଗରିବ, ମହିଳା, ଚାଷୀ ଓ ଯୁବବର୍ଗ । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଶେଷ ବଜେଟ୍ରେ ମୋଟାମୋଟି ଏହି ୪ ବର୍ଗକୁ ଫୋକସ କରାଯାଇଛି ।
ଗରିବ
– ୩କୋଟି ଗରିବଙ୍କ ମୁଣ୍ଡ ଉପରେ ଛାତ ନିର୍ମାଣ ସରିଛି, ଆଗାମୀ ୫ ବର୍ଷରେ ଆଉ ୨ କୋଟି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ଲକ୍ଷ୍ୟ
– ୧ କୋଟି ଘର ଛାତ ଉପରେ ସୌର ପ୍ୟାନେଲ ଲଗାଇ ମାସିକ ୩୦୦ ୟୁନିଟ ଯାଏଁ ମାଗଣା ବିଜୁଳି ଯୋଗାଇ ଦିଆଯିବ
ମହିଳା
– ଏସ୍ଏଚ୍ଜି ଜରିଆରେ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇପାରିଛନ୍ତି, ଏହାକୁ ୩ କୋଟି କରିବାକୁ ଲକ୍ଷ୍ୟ
– ସର୍ଭିକାଲ କ୍ୟାନ୍ସରରୁ ସୁରକ୍ଷା ପାଇଁ ୯ରୁ ୧୪ ବର୍ଷର ଝିଅଙ୍କ ମାଗଣାରେ ହେବ ଟିକାକରଣ
– ‘ଆୟୁଷ୍ମାନ’ ଯୋଜନାରେ ସାମିଲ ହେବେ ସମସ୍ତ ଆଶାକର୍ମୀ, ଆଙ୍ଗନବାଡି ଦିଦି ଓ ସହାୟିକା
ଚାଷୀ
– ଭାରତ ବିଶ୍ୱର ସବୁଠୁ ବଡ଼ ଦୁଗ୍ଧ ଉତ୍ପାଦକ, ଆଗକୁ ଉତ୍ପାଦକତା ବୃଦ୍ଧି ନେଇ ପଦକ୍ଷେପ ନିଆଯିବ
– ମତ୍ସ୍ୟ ପାଳନକୁ ପ୍ରୋତ୍ସାହିତ କରିବା ପାଇଁ ଅଲଗା ବିଭାଗ, ମତ୍ସ୍ୟ ସଂପଦ ଯୋଜନାରେ ୫୫ ଲକ୍ଷ ନୂଆ ରୋଜଗାର ସୃଷ୍ଟି
– ନାନୋ ୟୁରିଆକୁ ଚାଷୀ ଆପଣାଇଛନ୍ତି, ନାନୋ ଡିଏପିର ପ୍ରୟୋଗ ପାଇଁ ପ୍ରୋତ୍ସାହିତ କରାଯିବ
ଯୁବବର୍ଗ
– ଦେଶରେ ୩ ହଜାର ନୂଆ ଆଇଟିଆଇ ଅନୁଷ୍ଠାନ ଖୋଲି, ୫୪ ଲକ୍ଷ ଯୁବକ, ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯିବ
– ୫୦ ବର୍ଷ ପାଇଁ ୧ ଲକ୍ଷ କୋଟିର କର୍ପସ ପାଣ୍ଠି ହେବ, ଟେକ୍ନୋସାଭି ଯୁବବର୍ଗଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯିବ
ପ୍ରଧାନମନ୍ତ୍ରୀ କହିଛନ୍ତି ବଜେଟ୍ରେ ବିକଶିତ ଭାରତର ୪ଟି ସ୍ତମ୍ବକୁ ଗୁରୁତ୍ୱ ଦିଆଯାଇଛି । ୨୦୪୭ ସୁଦ୍ଧା ବିକଶିତ ଭାରତକୁ ନଜରରେ ରଖି ବଜେଟ୍ ପ୍ରସ୍ତୁତ ହୋଇଛି ।

ଭିତ୍ତିଭୂମି ବିକାଶକୁ ଦୃଷ୍ଟିରେ ରଖି ମୋଦୀ ସରକାର ପୁଞ୍ଜି ଖର୍ଚ୍ଚ ୧୧.୧ ଲକ୍ଷ କୋଟି କରିଛନ୍ତି ।
ଭିତ୍ତିଭୂମି ବିକାଶ ଲକ୍ଷ୍ୟ
– ବିମାନ ବନ୍ଦର ସଂଖ୍ୟା ୧୪୯କୁ ବୃଦ୍ଧି ପାଇଛି
– ୧୦୦୦ ନୂଆ ବିମାନ କିଣିବାକୁ ଅର୍ଡର କରିଛନ୍ତି ବିମାନ କମ୍ପାନି
– ୩ଟି ନୂଆ ରେଳ କରିଡର ଆରମ୍ଭ ହେବ
– ବନ୍ଦେ ଭାରତ ଏକ୍ସପ୍ରେସ୍ ବଗିରେ ହେବ ୪୦ ହଜାର ସାଧାରଣ ବଗି
– ଅଧିକ ମେଡିକାଲ କଲେଜ ଖୋଲାଯିବ, ଏଥିପାଇଁ ଗଠନ ହେବ କମିଟି
କେନ୍ଦ୍ରମନ୍ତ୍ରୀ ଧ ର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିର୍ମଳାଙ୍କ ବଜେଟରେ ଆଗାମୀ ଦିନର ରୋଡ୍ମ୍ୟାପ ପ୍ରତିଫଳିତ ହେଉଛି । ଅନ୍ୟପକ୍ଷରେ ସାଧାରଣ ଲୋକଙ୍କ ପାଇଁ ବଜେଟ୍ରେ କିଛି ନଥିବା କହି ସମାଲୋଚନା କରିଛି କଂଗ୍ରେସ ।
ଦେଶର ଅର୍ଥ ବ୍ୟବସ୍ଥାକୁ ଗତି ଦେବା ସହ ବିତ୍ତିୟ ନିୟଂଟକୁ କମ୍ କରିବା ପାଇଁ ବଜେଟରେ ପ୍ରୟାସ କରାଯାଇଛି । ନିର୍ବାଚନୀ ବର୍ଷ ହୋଇଥିଲେ ମଧ୍ୟ କୌଣସି ବଡ ଘୋଷଣା କରିନାହାନ୍ତି ଅର୍ଥମନ୍ତ୍ରୀ । ବରଂ କହିଛନ୍ତି ପୁଣିଥରେ ସରକାରକୁ ଆସିବା ପରେ ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ମୋଦୀ ସରକାର ।