ଭକ୍ତ ବୁଲିବେ ପରିକ୍ରମା ମାର୍ଗ । ପ୍ରଥମ ଦିନରେ ଦଶ ହଜାର କଲେ ଜଗା ଦର୍ଶନ

127

କନକ ବ୍ୟୁରୋ: ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ୧୭ ତାରିଖର ଲୋକାର୍ପଣ ପରେ ରାଜ୍ୟବାସୀ ମାଗଣାରେ ବୁଲିବେ ପରିକ୍ରମା ମାର୍ଗ । ମାର୍ଗ ବୁଲାଇବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଆଜିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ ଜିଲ୍ଲାରୁ ଦୈନିକ ପ୍ରାୟ ଦଶ ହଜାର ଭକ୍ତଙ୍କୁ ପୁରୀ ଆଣି ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ଅନ୍ତଃ ପ୍ରଦକ୍ଷିଣ କରାଯିବ । ପ୍ରଥମ ଦିନରେ ଗଞ୍ଜାମ, କଟକ, ମୟୁରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାର ଭକ୍ତ ସ୍ୱତନ୍ତ୍ର ବସରେ ଆସି ପରିକ୍ରମା ପ୍ରକଳ୍ପ ଦେଖିଛନ୍ତି । ସେମାନଙ୍କୁ ପ୍ରସାଦ ସ୍ୱରୂପ ଖଜା ପୁଡିଆ ଦିଆଯାଇଛି ।

ଆଜି ବିଭିନ୍ନ ଜିଲ୍ଲାରୁ ଆସିଥିବା ଭକ୍ତ ୩୦ଟି ସ୍ୱତନ୍ତ୍ର ବସରେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିଥିଲେ । ସେଠାରୁ ଶ୍ରୀଦାଣ୍ଡ ଦେଇ ପରିକ୍ରମା ମାର୍ଗ ଦେଖିଛନ୍ତି । ଆଉ ପରିକ୍ରମା ମାର୍ଗରେ ଅନ୍ତଃପ୍ରଦକ୍ଷିଣ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରି ଦିବ୍ୟ ଅନୁଭୂତି ଲାଭ କରିଛନ୍ତି । ଜଗନ୍ନାଥ ବଲ୍ଲଭ ପିଲିଗ୍ରୀମ ସେଣ୍ଟରରେ କରାଯାଇଥିବା ମ୍ୟୁଜିୟମ ବୁଲି ବି ଦେଖିଛନ୍ତି ଭକ୍ତ । ରାଜ୍ୟ ସରକାରଙ୍କ ଏହି ବ୍ୟବସ୍ଥା ଆଜିଠାରୁ ଆରମ୍ଭ ହୋଇ ଫେବୃଆରୀ ୧୮ ତାରିଖ ଯାଏଁ ଚାଲିବ । ପ୍ରତିଦିନ ବିଭିନ୍ନ ଜିଲ୍ଲାରୁ ୧୦ ହଜାର ଭକ୍ତ ପରିକ୍ରମା ପ୍ରକଳ୍ପ ବୁଲିବା ସହ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।