କେମିତି ବଢ଼ିବ ଭାଷାଜ୍ଞାନ ଓ ସୃଜନଶୀଳତା? ‘ମୋ ସ୍କୁଲ ଅଭିଯାନ’ର ନିଆରା ପ୍ରୟାସ

136

କନକ ବ୍ୟୁରୋ: ଫେବ୍ରୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଏହି ଅବସରରେ ପିଲାଙ୍କ ମଧ୍ୟରେ ଭାଷାଜ୍ଞାନ ଓ ସୃଜନଶୀଳତା ବୃଦ୍ଧି କରିବା ପାଇଁ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋ ସ୍କୁଲ ଅଭିଯାନ । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।

ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଇତିହାସରେ ସେମାନଙ୍କ ନାଁ ଲିପିବଦ୍ଧ କରିବା ପାଇଁ ଏହି ଅବସରରେ ଏକ ବିଶ୍ୱ ରେକର୍ଡ କରିବାକୁ ଲକ୍ଷ୍ୟ ରଖାଯାଇଛି ।

  • ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ବିଶ୍ୱ ରେକର୍ଡ ପାଇଁ ଉଦ୍ୟମ
  • ‘ମୋ ସ୍କୁଲ ଅଭିଯାନ’ ପେଜରେ ଲେଖା ଅପଲୋଡ୍ କରିବେ ପ୍ରାୟ ୧ ଲକ୍ଷ ଛାତ୍ରଛାତ୍ରୀ

ନିକଟରେ ସାହିତ୍ୟ ସୃଜନୀ କ୍ଲବ ପକ୍ଷରୁ ସମସ୍ତ ରୂପାନ୍ତରିତ ହାଇସ୍କୁଲର ଛାତ୍ରଛାତ୍ରୀମାନେ ନଜ ସୃଜନଶୀଳତାର ପ୍ରଦର୍ଶନ କରିଥିଲେ । ବିଶ୍ୱ ରେକର୍ଡ ପାଇଁ ହାତଲେଖା ନୋଟ୍ଗୁଡିକର ଫଟୋ ଅପଲୋଡ କରିବେ ଛାତ୍ରଛାତ୍ରୀ ।

  • ରେକର୍ଡ ପାଇଁ ଛାତ୍ରଛାତ୍ରୀ ଗୋଟିଏ ଲେଖାଁଏ ହାତଲେଖା ନୋଟ୍ ପ୍ରସ୍ତୁତ କରିବେ
  • ଏ-୪ ସାଇଜ କାଗଜରେ ଲେଖିବାକୁ ହେବ
  • ଫେବ୍ରୁଆରୀ ୨ ତାରିଖ ଦିନ ୧୨ଟାରୁ ଗୋଟାଏ ମଧ୍ୟରେ ଅପଲୋଡ୍ କରିବାକୁ ପଡ଼ିବ

‘ଧନ୍ୟବାଦ ମୋ ସ୍କୁଲ, ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଓଡ଼ିଆ ଭାଷାରେ ମୋ କଥା ମୋ କାହାଣୀ ଲେଖି ମୁଁ ଗର୍ବିତ’ଲେଖିବା ସହ ଛାତ୍ରଛାତ୍ରୀମାନେ ନିଜ ନାଁ ସହ ସ୍କୁଲର ନାଁ ଲେଖିବେ । ଆମ ଓଡ଼ିଶା ପକ୍ଷରୁ ପ୍ରତିବର୍ଷ ସ୍କୁଲ ପିଲାଙ୍କ ମଧ୍ୟରେ ସୃଜନଶୀଳତା ବୃଦ୍ଧି ପାଇଁ ଶ୍ରୁତଲିଖନ ଓ ଭାଷା ଜ୍ଞାନ ପରୀକ୍ଷା ହୋଇଥାଏ । ସରକାରଙ୍କ ଏଭଳି କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହ ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ସ୍କୁଲରେ ଏହାକୁ କାର୍ଯ୍ୟକାରୀ କରିବାକୁ ପାଇଁ ପରାମର୍ଶ ଦେଇଛନ୍ତି ଭାଷାବିତ ଅସିତ ମହାନ୍ତି ।

ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ପାଇଁ ବଡ଼ ଆୟୋଜନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ୩ ଦିନ ଧରି ଚାଲିବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ।