ନବ ଦାସ ହତ୍ୟାକାଣ୍ଡକୁ ପୂରିଲା ୧ ବର୍ଷ । ଶ୍ରଦ୍ଧାବାର୍ଷିକୀରେ ଝାରସୁୁଗୁଡ଼ାରେ ପ୍ରତିମୂର୍ତି ଉନ୍ମୋଚିତ, ମିନି ମାରାଥନ ଆୟୋଜିତ

129

କନକ ବ୍ୟୁରୋ: କାଲି ଭଳି ଲାଗୁଛି, ହେଲେ ଚାହୁଁଚାହୁଁ ଗୋଟିଏ ବର୍ଷ ବିତିଗଲାଣି । ଝାରସୁଗୁଡ଼ା ତଥା ସାରା ଓଡ଼ିଶାର ଲୋକପ୍ରିୟ ନେତା, ନବ କିଶୋର ଦାସଙ୍କ ମୃତ୍ୟୁକୁ ଗୋଟିଏ ବର୍ଷ ପୁରିଛି । ନବ ଦାସଙ୍କ ସ୍ମୃତି ସାଇତି ରଖିବା ପାଇଁ ଏବଂ ତାଙ୍କ ଅବଦାନକୁ ମନେ ପକାଇବା ପାଇଁ ଝାରସୁୁଗୁଡ଼ାରେ ଏକ ପ୍ରତିମୂର୍ତି ଉନ୍ମୋଚିତ ହୋଇଛି । ସେହିପରି ସର୍ବ ଧର୍ମସଭା ସହ ନବ ଦାସଙ୍କ ସ୍ମୃତିରେ ଏକ ମିନି ମାରାଥନର ଆୟୋଜନ ହୋଇଛି । ଆଉ ଏହାରି ଭିତରେ ନବ ଦାସଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରି ସରକାରଙ୍କୁ ଟାର୍ଗେଟ୍ କରିଛି ବିରୋଧୀ ।

ନବ କିଶୋର ଦାସ । କେବଳ ଝାରସୁଗୁଡ଼ା କାହିଁକି ସମଗ୍ର ଓଡ଼ିଶାର ଜଣେ ଜନପ୍ରିୟ ନେତା । ତାଙ୍କ ଅନୁପସ୍ଥିତିରେ ଯେମିତି ଝୁରି ହେଉଛି ଝାରସୁଗୁଡ଼ା ସହର । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରଥମ ଶ୍ରଦ୍ଧାବାର୍ଷିକୀରେ ତାଙ୍କୁ ମନେ ପକାଇବା ପାଇଁ ଝାରସୁୁଗୁଡ଼ାରେ ଏକ ପ୍ରତିମୂର୍ତି ଉନ୍ମୋଚିତ ହୋଇଛି । ସେହିପରି ସର୍ବ ଧର୍ମସଭା ଆୟୋଜନ କରାଯିବା ସହ ଏକ ମିନି ମାରାଥନର ଆୟୋଜନ ହୋଇଛି । ଝାରସୁଗୁଡ଼ା ସହରର ବିକାଶ ପାଇଁ ନବ ଦାସଙ୍କ ଅବଦାନକୁ ମନେ ରଖିବା ପାଇଁ ଏସପି ଅଫିସ୍ ନିକଟ ଛକକୁ ନବ ଦାସ ଛକ ନାଁରେ ନାମିତ କରାଯାଇଛି । ଏହି ଅବସରରେ ନବ ଦାସଙ୍କ ପରିବାର ଉପସ୍ଥ୍ିିତ ଥିଲେ । ଆଉ ଝାରସୁଗୁଡ଼ା ବିଧାୟକ ଦୀପାଳୀ ଦାସ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବେ ବୋଲି କହିଥିଲେ ।

ଏପଟେ ନବ ଦାସଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟର ଆଇନଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇଛି ବିରୋଧୀ ବିଜେପି । ଦଳ ଘଟଣା ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ଦାବି କରିଛି । ତେବେ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି ।

୨୦୨୩ ମସିହା ଜାନୁୟାରୀ ୨୯ ତାରିଖ । ଦଳୀୟ କାର୍ଯ୍ୟକ୍ରମ ପାଇଁ ବ୍ରଜରାଜନଗର ଗସ୍ତ କରିଥିଲେ ନବ ଦାସ । ଏହି ସମୟରେ ଗାନ୍ଧୀଛକ ଫାଣ୍ଡୀ ଏଏସଆଇ ଗୋପାଳ ଦାସ ନବ ଦାସଙ୍କୁ ଗୁଳି କରିଥିଲେ । ତୁରନ୍ତ ନବ ଦାସଙ୍କୁ ଉଦ୍ଧାର କରି ଝାରସୁଗୁଡା ହସ୍ପିଟାଲ ଓ ପରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଆଉ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜି ଦେଇଥିଲେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି, ତଦନ୍ତ ଚାଲିଛି, କିନ୍ତୁ ଗୁଳିକାଣ୍ଡର କାରଣକୁ ନେଇ ଏବେ ବି ଲୋକ ଅନ୍ଧାରରେ ଅଛନ୍ତି । ସତ କେବେ ସାମ୍ନାକୁ ଆସିବ ତାକୁ ଏବେ ବି ଅପେକ୍ଷା କରାଯାଇଛି । ଜଣେ ପୁଲିସ ଅଧିକାରୀ କାହିଁକି ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ପାଖରୁ ଗୁଳିମାରିଲେ ମୃତ୍ୟୁର ବର୍ଷେ ପରେ ବି ପର୍ଦ୍ଦାଫାସ ହୋଇପାରନାହିଁ ।