ଇତିହାସ ରଚିବ ଆମେରିକା । ଦେଶର ବନ୍ଦ ହେବ ମୃତ୍ୟୁଦଣ୍ଡ । ନିର୍ବାଚନୀ ପ୍ରତିଶୃତି ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି ଜୋ-ବାଇଡେନ

266

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ ତାଙ୍କ ଦେଶରେ କୌଣସି ଅପରାଧିଙ୍କୁ ମୃତ୍ୟୁଦଣ୍ଡ ଦେବାର ଥିବା ପ୍ରାବଧାନକୁ ବନ୍ଦ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବାଇଡେନ୍ ରାଷ୍ଟ୍ରପତି ହେବା ପୂର୍ବରୁ ନିର୍ବାଚନ ସମୟରେ ଦେଶର ଲୋକମାନଙ୍କୁ ଏଭଳି ପ୍ରତିଶୃତି ଦେଇଥିଲେ । ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ଜୋ-ବାଇଡେନ ମୃତ୍ୟୁଦଣ୍ଡକୁ ବିରୋଧ କରିଛନ୍ତି । ଏହା ସହ ମୃତ୍ୟୁଦଣ୍ଡ ନେଇ ଥିବା ଆଇନଗତ ପ୍ରାବଧାନ ହଟାଇବାକୁ ସେ ଦେଶର ଆଇନଜୀବୀ ମାନଙ୍କ ସହ ପରାମର୍ଶ କରିବା ଆରମ୍ଭ କରିଛନ୍ତି ।

ଏସୋସିଏଟେଡ ପ୍ରେସର ସୂଚନା ମୁତାବକ ବାଇଡେନ ପ୍ରଶାସନର ଅଧିକାରୀ ମାନେ କହିଛନ୍ତି କି ଦେଶରେ ମୃତ୍ୟୁଦଣ୍ଡ ବନ୍ଦ କରିବା ପୂର୍ବରୁ ବାଇଡେନ୍ ଏନେଇ ଥିବା ଆଇନଗତ ପ୍ରାବଧାନ ଉପରେ ସମ୍ପୂର୍ଣ୍ଣ ବିଶ୍ଳେଷଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏନେଇ ଯଦି ବାଇଡେନ ସନ୍ତୁଷ୍ଟି ପ୍ରକାଶ କରିବେ ତେବେ ଖୁବ୍ ଶୀଘ୍ର ଆମେରିକାରୁ ମୃତ୍ୟୁଦଣ୍ଡ ଦେବା ନେଇ ଥିବା କାନୁନ୍ ରଦ୍ଦ ହେବ ।

ବର୍ତ୍ତମାନ ବାଇଡେନଙ୍କ ସହିତ ମୃତ୍ୟୁଦଣ୍ଡ ଆଇନ ଶେଷ କରିବାକୁ ନେଇ ହୋଇଥିବା ଚର୍ଚ୍ଚାରେ ସାମିଲ ହୋଇଥିବା ଅଧିକାରୀ ମାନେ ଏହା ଉପରେ କିଛି କହିବାକୁ ମନା କରିଦେଇଛନ୍ତି । ହ୍ୱାଇଟ୍ ହାଉସର ପ୍ରେସ ସଚିବ ଜେନ୍ ପାକ୍ସି ଶୁକ୍ରବାର ଦିନ କହିଛନ୍ତି କି ଗଣମାଧ୍ୟମ ଆଗରେ ଏନେଇ କିଛି କହିବାର ସମୟ ଆସିନାହିଁ ।