ଓଡିଶାରେ ଆଗଭଳି ଅମଳ ହେଉନି ନଡିଆ । ବଢ଼ିଚାଲିଛି ପଇଡ ଓ ନଡିଆ ଦର । କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଉପରେ ଭରସା

207

କନକ ବ୍ୟୁରୋ: ଦିନ ଥିଲା ଓଡିଶାରେ ପ୍ରଚୁର ପରିମାଣରେ ନଡିଆ ଉତ୍ପାଦନ ହେଉଥିଲା । ବିଶେଷକରି ପୁରୀ ଜିଲ୍ଲାରେ ପ୍ରଚୁର ପରିମାଣରେ ନଡିଆ ଉତ୍ପାଦନ ହୋଇଥାଏ । କିନ୍ତୁ ଫନି ବାତ୍ୟା ପରେ ବଦଳି ଯାଇଛି ଚିତ୍ର । ଆଜିକାଲି ଆଉ ପୂର୍ବ ଭଳି ନଡିଆ ଅମଳ ହେଉନି କି ପଇଡ ବି ମିଳୁନି । ଯାହାଫଳରେ ପଇଡ ଓ ନଡିଆ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି ।

ସ୍ୱାସ୍ଥ୍ୟ ଉପଯୋଗୀ ପାନୀୟ ଭାବେ ସବୁବେଳେ ପଇଡ ପାଣିର ଚାହିଦା ରହିଛି । କେବଳ ଖରା ଦିନ ନୁହେଁ, ଅନ୍ୟ ଦିନରେ ବି ପଇଡ ପିଇବାକୁ ଆଗ୍ରହ ଦେଖାଇଥାନ୍ତି ଲୋକେ । କିନ୍ତୁ ପଇଡ ଦର ଶୁଣିଲେ ଲୋକଙ୍କ ଡର ଲାଗିଲାଣି । ପଇଡ ଗୋଟା ୫୦ଟଙ୍କା । ତେବେ ବ୍ୟବସାୟୀଙ୍କ କହିବା କଥା ଅମଳ ହେଉନଥିବାରୁ ଦର ଉଚ୍ଚା ରହୁଛି ।

ଖାଲି ପଇଡ ନୁହେଁ ନଡିଆ ଦର ବି ଉଚ୍ଚା ରହୁଛି । ରାଜ୍ୟର ସବୁଠାରୁ ଅଧିକ ନଡିଆ ଅମଳ ହେଉଥିବା ସାକ୍ଷୀଗୋପାଳ ନଡିଆ ହାଟ ଏବେ ଖାଁ ଖାଁ । ସେହିପରି ରାସ୍ତାକଡରେ ଆଉ ଦେଖିବାକୁ ମିଳୁନି ଦେଶୀ ପଇଡ । ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡୁରୁ ଟ୍ରକରେ ଆସିୁଛି ନଡିଆ । ଆଉ ସେହି ନଡିଆକୁ ବ୍ୟବସାୟୀ କିଣି ବିକ୍ରି କରୁଛନ୍ତି ।

ତେବେ ଫନୀ ବାତ୍ୟାରେ ବହୁ ସଂଖ୍ୟାରେ ନଡିଆ ଗଛ ଭାଙ୍ଗି ପଡିବା ଯୋଗୁଁ, ପୁରୀ ଜିଲ୍ଳାରେ ନଡିଆ ଅମଳ ପ୍ରଭାବିତ ହୋଇଛି ବୋଲି ସଫେଇ ଦେଇଛନ୍ତି କୃଷି ଉଦ୍ୟାନ ଉପ-ନିର୍ଦ୍ଦେଶିକା । ଓଡିଶାରେ ନଡିଆ ଚାଷ ପାଇଁ ଅନୁକୂଳ ପରିବେଶ, ରହିଥିବାବେଳେ, ବାହାର ରାଜ୍ୟ ଉପରେ ନିର୍ଭର କରିବା କୃଷି ଉଦ୍ୟାନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।