ରାଜଧାନୀରେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ତ୍ୱରିତ ଶୁଣାଣି । ୪ ଦିନରେ ଚାର୍ଜସିଟ୍ ଓ ୭ ଦିନରେ ଶୁଣାଣି । ପୁଲିସର କାର୍ଯ୍ୟାନୁଷ୍ଠାନକୁ ସ୍ୱିଡେନ ଯୁବତୀଙ୍କ ପ୍ରଶଂସା

1,910

କନକ ବ୍ୟୁରୋ: ରାଜଧାନୀରେ ବିଦେଶିନୀଙ୍କୁ ଅସଦାଚରଣ ମାମଲାକୁ ନେଇ ଚାରିଆଡେ ଚର୍ଚ୍ଚା । ମାତ୍ର ଚାରି ଦିନରେ ଚାର୍ଜସିଟ୍ ଏବଂ ୭ ଦିନ ଭିତରେ ଘଟଣାର ଶୁଣାଣି, ଓଡିଶା ନ୍ୟାୟିକ ବ୍ୟବସ୍ଥାରେ ପ୍ରଥମଥର ବୋଲି କୁହାଯାଉଛି । ଲିଙ୍ଗରାଜ ମନ୍ଦିର ବୁଲିବାକୁ ଆସିଥିବା ବେଳେ ମନ୍ଦିର ବେଢା ବୁଲାଇବା ବାହାନାରେ ଜଣେ ଯୁବକ ବିଦେଶିନୀଙ୍କୁ ଅସଦାଚାରଣ କରିଥିବା ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଏହି ଘଟଣାର ପୁଙ୍ଖାନୁୁପୁଙ୍ଖ ତଦନ୍ତ କରି ଦୋଷୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

  • ମୁହଁ ଖୋଲିଲେ ସ୍ୱିଡେନ ଯୁବତୀ
  • କମିଶନରେଟ୍ ପୁଲିସକୁ କଲେ ପ୍ରଶଂସା

ଗତ ୧୩ ତାରିଖରେ ଭୁବନେଶ୍ୱରରେ ରହୁଥିବା ନିଜ ବନ୍ଧୁଙ୍କ ପାଖକୁ ଆସିଥିଲେ ସ୍ୱିଡେନ ଯୁବତୀ । ୧୯ ତାରିଖ ଦିନ ଲିଙ୍ଗରାଜ ମନ୍ଦିର ବୁଲିବାକୁ ଯାଇଥିବା ବେଳେ ତାଙ୍କ ସହ ଘଟିଥିଲା ଘଟଣା ବାବଦରେ କନକ ନ୍ୟୁଜରେ କହିଛନ୍ତି । ସ୍ୱିଡେନରେ ଏଭଳି ଘଟଣାକୁ ଅଣଦେଖା କରାଯାଉଥିବା ବେଳେ ଓଡିଶାରେ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଓ ନ୍ୟାୟିକ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ବିଦେଶିନୀ ।

ସିଆରପିସିର ଧାରା ୧୬୪ ଅନୁସାରେ, ଯୁବତୀଙ୍କ ବୟାନ ରେକର୍ଡ ହୋଇଛି । ଭୁବନେଶ୍ୱର ଜେଏମଏଫସି ୱାନ୍ କୋର୍ଟରେ ଶୁଣାଣି ଶେଷ ହେବା ପରେ ସନ୍ଧ୍ୟାରେ ସ୍ୱିଡେନକୁ ଫେରିଯାଇଛନ୍ତି ଯୁବତୀ । ସାକ୍ଷାତକାର ପରେ ଏହି ଘଟଣା ବାବଦରେ ଅନ୍ୟକୁ ସତର୍କ କରାଇବା ଉଦ୍ଦେଶ୍ୟ ରଖି ଖବର ପ୍ରସାରଣ ସମୟରେ ନିଜ ମୁହଁ ବ୍ଲୋର ନକରିବାକୁ କହିଛନ୍ତି ବିଦେଶିନୀ ।