ରାଜ୍ୟର ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । କଟକରୁ ଭର୍ତ୍ତୃହରି, ଆଉ କେଉଁଠୁ କିଏ?

280

କନକ ବ୍ୟୁରୋ: ବିଜେପି ରାଜ୍ୟର ଆଉ ୩ଟି ଲୋକସଭା କଟକ, ଯାଜପର ଓ କନ୍ଧମାଳ ପାଇଁ ପ୍ରାର୍ଥୀ ଘୋଷଣା କରିଛି । କଟକରୁ ଭର୍ତ୍ତୃହରି ମହତାବ ପ୍ରାର୍ଥୀ ହୋଇଥିବାବେଳେ ଯାଜପୁରରୁ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା ଓ କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀ ବିଜେପି ପ୍ରାର୍ଥୀ ହେବେ । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିିଟି ଏହି ୩ଟି ଆସନର ନାଁ ଉପରେ ମୋହର ମାରିଛି ।

ଭର୍ତ୍ତୃହରି ମହତାବ ଗୁରୁବାର ବିଜେଡିରୁ ଇସ୍ତଫା ଦେଇ ବିଜେପିର ମିିଶିଥିଲେ । ଆଉ ଏହାର ୩ ଦିନ ପରେ ଭର୍ତ୍ତୃହରିଙ୍କୁ କଟକରୁ ଟିକେଟ ଦେଇଛି ବିଜେପି । ଭର୍ତ୍ତୃହରିଙ୍କ ଟକ୍କର ବିଜେଡିର ସଂତୃପ୍ତ ମିଶ୍ରଙ୍କ ସହ ହେବ । କଟକରୁ ବିଜେଡି ଟିକେଟରେ ୬ ଥର ସାଂସଦ ହୋଇଥିଲେ ଭର୍ତ୍ତୃହରି ମହତାବ । ୨୦୧୭ରେ ଶ୍ରେଷ୍ଠ ସାଂସଦ ହୋଇଥିଲେ । କନ୍ଧମାଳରୁ ସୁକାନ୍ତ ପାଣିଗ୍ରାହୀଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି ବିଜେପି । ୨୦୧୪ରେ ଏହି ଆସନରୁ ବିଜେପି ଟିକେଟରେ ଲଢି ତୃତୀୟ ସ୍ଥାନରେ ରହିଥିଲେ ସୁକାନ୍ତ । ବିଜେଡିର ହେମେନ୍ଦ୍ର ଚନ୍ଦ୍ର ସିଂ ଏହି ଆସନରୁ ବିଜୟୀ ହୋଇଥିଲେ । ସୁକାନ୍ତ ଲକ୍ଷେ ୮ ହଜାରରୁ ଅଧିକ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ସୁକାନ୍ତ ସଂଘ ପରିବାରର ଅତି ନିକଟତର ବୋଲି କୁହାଯାଇଛି । ବିଜେଡି ଏଠାରୁ ବର୍ତ୍ତମାନର ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପୁଣି ପ୍ରାର୍ଥୀ କରିଛି ।

ସେହିଭଳି ଯାଜପୁରରୁ ବିଜେପି ଟିକେଟରେ ଲଢିବେ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା । ସେ ନ୍ୟାସନାଲ ଇନଫରମେସନ ସେଣ୍ଟର, ଓଡିଶାର ପୂର୍ବତନ ନିର୍ଦ୍ଦେଶକ ଥିଲେ । ରବୀନ୍ଦ୍ରଙ୍କ ମୁକାବିଲା ବିଜେଡିର ଶର୍ମିଷ୍ଠା ସେଠୀଙ୍କ ସହ ହେବ । ଶର୍ମିଷ୍ଠା ସେଠୀଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି ବିଜେଡି । ଏହା ସହ ବିଜେପି ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ।