ନେତାଙ୍କ ଦଳଡିଆଁ ହେଉଛି ଅକଳ । ପ୍ରଚାରକୁ ନେଇ ଦ୍ୱନ୍ଦ୍ୱରେ ସାଂସଦ ପ୍ରାର୍ଥୀ ।

1,587

କନକ ବ୍ୟୁରୋ: ବିଧାୟକ ପ୍ରାର୍ଥୀ ଘୋଷଣା ହୋନଇଥିବାରୁ ଦୋଛକରି ସାଂସଦ ପ୍ରାର୍ଥୀ । ଦଳଡିଆଁ ଭିତରେ କାହାକୁ ନେଇ ପ୍ରଚାରକୁ ଯିବେ ଚିନ୍ତାରେ ଲୋକସଭା ପ୍ରାର୍ଥୀ । ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକେଟ ପାଇଛନ୍ତି । କିନ୍ତୁ ଭୁବନେଶ୍ୱର ଲୋକସଭା ଅଧିନରେ ଥିବା ଅଧିକାଂଶ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା ହୋଇନାହିଁ । ତେଣୁ କାହାକୁ ନେଇ ଏବେ ପଚାରକୁ ଯିବ ତାକୁ ନେଇ ଚିନ୍ତାରେ ନେତା ।

ସେହିପରି ବିଜେପି ସବୁ ଲୋକସଭା ଆସନ ପାଇଁ ପ୍ରାଥୀ ଘୋଷଣା କରିସାରିଛି । କିନ୍ତୁ ଏପର୍ଯ୍ୟନ୍ତ ବିଧାନସଭା ଆସନ ପାଇଁ ଗୋଟିଏ ବି ପ୍ରାର୍ଥୀ ଘୋଷଣା କରିନାହିଁ । ଭୁବନେଶ୍ୱରରୁ ସାଂସଦ ଅପରାଜିତା ଷଡଙ୍ଗୀକୁ ପୁଣି ଥରେ ଦଳ ପ୍ରାର୍ଥୀ କରିଛି । କିନ୍ତୁ ବିଧାୟକ ପ୍ରାର୍ଥୀ ଘୋଷଣା ହୋଇନଥିବାରୁ ପ୍ରଚାର ଜୋରଦାର କରିପାରୁନାହାଁନ୍ତି ଅପରାଜିତା । ଏପରିକି ପ୍ରାର୍ଥୀ ଘୋଷଣା ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କହିବାକୁ ନେଇ ଅପରାଜିତାକୁ ନିଜ ଦଳ ଭିତରୁ ବିରୋଧର ସାମ୍ନା କରିବାକୁ ପଡିଛି ।

କେବଳ ଭୁବନେଶ୍ୱର ନୁହେଁ ଅଧିକାଂଶ ଆସନରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ଯେଉଁମାନେ ଟିକେଟ ପାଉନାହାଁନ୍ତି ଅବା ପାଇବାର ଆଶଙ୍କା ନାହିଁ ସେମାନେ ଦଳଛାଡୁଥିବାରୁ କାହାକୁ ନେଇ ପ୍ରଚାରକୁ ଯିବେ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଲୋକସଭା ପ୍ରାର୍ଥୀ । ବିଜେଡି ୭୨ ଟି ବିଧାନସଭା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ଗୋଟିଏ ବି ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ବିଜେପି-ବିଜେଡି ଟକ୍କର ଭିତରେ ପଛରେ ପଡିଯାଇଛି କଂଗ୍ରେସ । ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ଏପର୍ଯ୍ୟନ୍ତ ଗୋଟିଏ ବି ପ୍ରାର୍ଥୀ ଘୋଷଣା କରିନାହିଁ ଦଳ ।