ବିହାରରେ ରାଜନୈତିକ ହଟଚମଟ ଜାରି । ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିଜେପି ସହ ମିଶି ଗଢିବେ ନୂଆ ସରକାର…

121

କନକ ବ୍ୟୁରୋ: ରବିବାର ବିଜେପି ସହ ମିଶି ପୁଣିଥରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ କୁମାର । ଚର୍ଚ୍ଚା ଅନୁସାରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ନୀତୀଶଙ୍କ ନୂଆ ସରକାରରେ ସୁଶୀଲ କୁମାର ମୋଦୀଙ୍କୁ ପୁଣି ମିଳିପାରେ ଉପମୁଖ୍ୟମନ୍ତ୍ରୀ ପଦ । କୁହାଯାଉଛି ଅଲଗା ଅଲଗା ବୈଠକ କରି ଆଗାମୀ ପଦକ୍ଷେପ ସଂପର୍କରେ ଆଲୋଚନା ଚଳାଇଛନ୍ତି ବିଜେପି, ଆରଜେଡି ଓ କଂଗ୍ରେସ । ତେବେ ପୂର୍ବରୁ ଏନଡିଏ ସହ ରହିଥିବା ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ମୁଖ୍ୟ ଜୀତନରାମ ମାଂଝୀଙ୍କ ସହ ଆଲୋଚନା କରିଥିଲେ ଲାଲୁ ପ୍ରସାଦ ଯାଦବ । ଏବେ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ସହ ଫୋନ ଯୋଗେ କଥା ହୋଇଥିବା ଜଣାପଡିଛି । ନଜର ପକାନ୍ତୁ ସରକାର ଗଢିବା ପାଇଁ କେଉଁ ସ୍ଥିତିରେ ଅଛନ୍ତି ନୀତୀଶ?

ନୀତୀଶ-ବିଜେପି ସରକାର?

  • ବିଜେପି- ୭୮
  • ଜେଡିୟୁ- ୪୫
  • ହମ୍- ୦୪
  • ସ୍ୱାଧୀନ- ୦୧
  • ମୋଟ୍- ୧୨୮
  • ବହୁମତ- ୧୨୨

ଚର୍ଚ୍ଚା ହେଉଥିଲା ମହାଗଠବନ୍ଧନ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇ ନୀତୀଶଙ୍କୁ ଫ୍ଲୋରଟେଷ୍ଟ ପାଇଁ ବାଧ୍ୟ କରିବ ଆରଜେଡି । ହେଲେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆରଜେଡି ବିଧାୟକ ଦଳ ବୈଠକକୁ ସମ୍ବୋଧନ କରି ଭିକ୍ଟିମ କାର୍ଡ ଖେଳିବାକୁ କହିଛନ୍ତି ତେଜସ୍ୱୀ ଯାଦବ । ଦଳ ପରବର୍ତୀ ନିଷ୍ପତି ଲାଲୁ ଯାଦବଙ୍କ ଉପରେ ଛାଡିଥିବା କହିଛନ୍ତି ଆରଜେଡି ନେତା ମନୋଜ ଝା । ନଜର ପକାନ୍ତୁ ମହାଗଠବନ୍ଧନରୁ ନୀତୀଶ ଚାଲିଗଲେ କଣ ରହିବ ସ୍ଥିତି ?

ଜେଡିୟୁ ବିନା ମହାଗଠବନ୍ଧନ?

  • ଆରଜେଡି- ୭୯
  • କଂଗ୍ରେସ- ୧୯
  • ବାମଦଳ- ୧୬
  • ମୋଟ୍- ୧୧୪
  • ବହୁମତ- ୧୨୨
  • ଆବଶ୍ୟକ- ୦୮

ସରକାରରେ ବସିବାକୁ ସାଥୀ ବଦଳାଇବାରେ ପାରଙ୍ଗମ ନୀତୀଶ କୁମାର । ସେଥିପାଇଁ ତାଙ୍କୁ ରାଜନୀତିରେ ପଲଟୁରାମ ଆଖ୍ୟା ଦିଆଯାଇଛି । ପ୍ରଥମେ ମହାଗଠବନ୍ଧନ, ପୁଣି ବିଜେପି ଓ ପୁଣି ମହାଗଠବନ୍ଧନକୁ ଫେରିବା ପରେ ଏବେ ବିଜେପି ସହ ମିଶି ସରକାର ଗଢିବାକୁ ଯାଉଛନ୍ତି । ବିଜେପି ତାଙ୍କ ଚରିତ୍ର ଜାଣି ମଧ୍ୟ ପୁଣି ହାତ ମିଶାଇବାର ୩ଟି ପ୍ରମୁଖ କାରଣ ରହିଛି ।

ନୀତୀଶଙ୍କ ସହ ବିଜେପି ହାତ ମିଶାଇବାର କାରଣ ?

  • ଜାତୀୟ ରାଜନୀତିରେ ଇଣ୍ଡିଆ ମେଣ୍ଟକୁ ବଡ଼ ଝଟକା
  • ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ବିହାରରେ ଫାଇଦା
  • ନୀତୀଶଙ୍କୁ ଛାଡି଼ ଦେଲେ ବିହାରରେ ଆରଜେଡିକୁ ଅଟକାଇବା ଅସମ୍ଭବ