ମୋଦୀ ମନ୍ତ୍ରୀମଣ୍ଡଳରେ ଓଡିଶାର ୩ କ୍ୟାବିନେଟ ମନ୍ତ୍ରୀ: ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ ନେଲେ ଶପଥ

829

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ଫଳାଫଳ ବାହାରିବା ପରେ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଭାବେ ମୋଦୀ ନିଜର ତୃତୀୟ ପାଳି ଆରମ୍ଭ କରିଛନ୍ତି । ତେବେ ମୋଦୀ ଶପଥ ନେବା ସହ ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ସାଂସଦମାନେ ମଧ୍ୟ ଶପଥ ନେଇଛନ୍ତି । ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି ଓଡିଶାରୁ ୩ ଜଣ । ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଦେଓଗଡରୁ ଲୋକସଭା ନିର୍ବାଚନରେ ନିର୍ବାଚତ ହୋଇଥିଲେ । ଏହାପରେ ଥରେ ବିହାର ଓ ଥରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଧର୍ମେନ୍ଦ୍ର ପ୍ରଧାନ ୨୦୧୪ରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ଦାୟିତ୍ୱରେ ଥିଲେ । ଏହାପରେ ୨୦୧୭ରେ ସେ କ୍ୟାବିନେଟ ପାହ୍ୟାକୁ ଉନ୍ନୀତ ହୋଇଥିଲେ । ତାଙ୍କୁ ଉଜ୍ଜଳା ମ୍ୟାନ ବୋଲି ମଧ୍ୟ କୁହାଯାଏ । ସେ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ବେଶ ସଫଳତା ପାଇଥିଲା । ଏହାପରେ ୨୦୨୧ରେ ତାଙ୍କୁ ଶିକ୍ଷା ବିଭାଗ ଦାୟିତ୍ୱ ମିଳିଥିଲା ।

ଜୁଏଲ ଓରାମ ଅତିତରେ ଦୁଇ ଥର କେନ୍ଦ୍ର କ୍ୟାବିଟେନରେ ସ୍ଥାନ ପାଇଛନ୍ତି । ଅଟଳବିହାରୀ ସରକାର ସମୟରେ ୧୯୯୯ ମସିହାରେ ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରାଳୟରେ ସ୍ଥାନ ମିଳିଥିଲା । ୨୦୧୪ରେ ମୋଦୀଙ୍କ ପ୍ରଥମ ପାଳିରେ ତାଙ୍କୁ ପୁଣି ଥରେ ଆଦିବାସୀ ମନ୍ତ୍ରାଳୟରେ ସ୍ଥାନ ମିଳିଥିଲା । ଜୁଏଲ ଓରାମ ୧୯୮୯ ମସିହାରେ ପ୍ରଥମଥର ବଣାଇରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୮, ୧୯୯୯, ୨୦୦୪, ୨୦୧୪, ୨୦୧୯ ଓ ୨୦୨୪ରେ ସେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।

ସେହିପରି ଅଶ୍ୱିନୀ ବୈଷ୍ଣବ ରାଜସ୍ଥାନରୁ ହୋଇଥିଲେ ବି ସେ ଓଡିଶା କ୍ୟାଡରର ଆଇଏଏସ ଅଫିସର ଥିଲେ । ସେ ରାଜନୀତିରେ ସାମିଲ ହେବା ପରେ ତାଙ୍କୁ ବିଜେପି ବିଜେଡି ସମର୍ଥନରେ ରାଜ୍ୟସଭାକୁ ପଠାଇଥିଲେ । ୨୦୨୧ ମସିହାରେ କ୍ୟାବିନେଟ ଅଦଳବଦଳ ସମୟରେ ଅଶ୍ୱିନୀ ବୈଷ୍ଣବଙ୍କୁ କେନ୍ଦ୍ର ରେଲୱେ ବିଭାଗରେ ସ୍ଥାନ ମିଳିଥିଲା । ଆଉ ଏଥର ପୁଣି ମୋଦୀ ନିଜ ମନ୍ତ୍ରୀମଣ୍ଡଳରେ ତାଙ୍କୁ ସ୍ଥାନ ଦେଇଛନ୍ତି ।