ରାଜଧାନୀରେ ଯୁବ କଂଗ୍ରେସର ବିକ୍ଷୋଭ: ନବୀନ ନିବାସ ଘେରିବାକୁ ଯିବା ବେଳେ ରାଜମହଲ ଛକରେ ଅଟକାଇଲା ପୁଲିସ

47

କନକ ବ୍ୟୁରୋ: ରାଜଧାନୀରେ ଯୁବ କଂଗ୍ରେସର ଗର୍ଜନ । ପୁଲିସ-ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି । ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ରାଜମହଲ ଛକରେ ମୁହାଁମୁହିଁ ହୋଇଥିଲେ କଂଗ୍ରେସ କର୍ମୀ ଓ କମିଶନରେଟ୍ ପୁଲିସ । ଭାରତୀୟ ଯୁବ କଂଗ୍ରେସ ସଭାପତି ବିଭି ଶ୍ରୀନିବାସ ଏଥିରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ୨୪ ବର୍ଷ ମଧ୍ୟରେ ରାଜ୍ୟରେ ଭ୍ରଷ୍ଟାଚାର, ଦୁର୍ନୀତି ହଟାଇବା ସହ ଯୁବକଙ୍କ ନିଯୁକ୍ତି ଦାବି କରି ପ୍ରତିବାଦ କରିଛି ଯୁବ କଂଗ୍ରେସ ।

ନିର୍ବାଚନ ପୂର୍ବରୁ ସକ୍ରିୟ ହୋଇ ଉଠିିଥିବା ଯୁବ କଂଗ୍ରେସ ରାଜଧାନୀ ଭୁବନେଶ୍ୱରରେ ରଣହୁଙ୍କାର ଦେଇଛି । ୨୪ବର୍ଷ ମଧ୍ୟରେ ରାଜ୍ୟରେ ଭ୍ରଷ୍ଟାଚାର, ଦୁର୍ନୀତି ବଢ଼ିଥିବା ଅଭିଯୋଗ ଓ ଯୁବକଙ୍କ ନିଯୁକ୍ତି ଦାବି କରି ବିକ୍ଷୋଭ କରିଛନ୍ତି ଯୁବ କଂଗ୍ରେସ କର୍ମୀ । ଯୁବ କଂଗ୍ରେସ ସଭାପତି ବିଭି ଶ୍ରୀନିବାସ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଂଙ୍ଗରେ ଟାର୍ଗେଟ କରିଛନ୍ତି । ନ୍ୟାୟ ଦୋ, ରୋଜଗାର ଦୋ, ନାରା ଦେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଯୁବ କଂଗ୍ରେସ ନେତା ।

ତେବେ ଯୁବ କଂଗ୍ରେସ କର୍ମୀମାନେ ନବୀନ ନିବାସ ଘେରାଉ କରିବାକୁ ଯିବା ସମୟରେ ରାଜମହଲ ଛକରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ପୋଲିସ, ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରୁଥିଲା । ଅନ୍ୟପଟେ ବ୍ୟାରିକେଡ ଡେଇଁ ଆଗକୁ ମାଡି ଚାଲିଥିଲେ ଯୁବ କଂଗ୍ରେସ କର୍ମୀ ।

ନବୀନ ନିବାସ ଆଡକୁ ଯିବା ବାଟରେ ସେମାନଙ୍କୁ ଅଟକାଇବାରୁ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ଏହି ସମୟରେ ପୋଲିସ ଉପରକୁ ଅଣ୍ଡା ଟମାଟୋ ମାଡ ହୋଇଥିଲା । ଉତେଜନା ବଢ଼ୁଥିବାବେଳେ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା ପୋଲିସ ।

ଯୁବ ଭୋଟରଙ୍କ ପାଇଁ ବେକାରୀ ପ୍ରମୁଖ ସମସ୍ୟା । ତେଣୁ ଆଗାମି ନିର୍ବାଚନରେ ଏହାକୁ ପ୍ରମୁଖ ପ୍ରସଙ୍ଗ କରି ଯୁବ ଭୋଟରଙ୍କୁ ଆକୃଷ୍ଠ କରିବାକୁ କଂଗ୍ରେସ ରଣନୀତି କରୁଥିବା କୁହାଯାଉଛି ।